ରାଜଧାନୀର ଘରୋଇ ହସ୍ପିଟାଲକୁ କେଜରିଓ୍ବାଲଙ୍କ ଚେତାବନୀ

ନୂଆଦିଲ୍ଲୀ,୬।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଓ ସଂକ୍ରମିତଙ୍କର ଠିକ୍‌ ଚିକିତ୍ସା କରିବାକୁ ସରକାରଙ୍କ ତତ୍ପରତା ଦେଖିବାକୁ ମିଳିଛି। ଘରୋଇ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ଚିକିତ୍ସାକୁ ନେଇ ପୁଣିଥରେ କଠୋର ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଶନିବାର ସେ କହିଛନ୍ତି ଘରୋଇ ହସ୍ପିଟାଲ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ପଡିବ। ଯଦି କେଉଁ ହସ୍ପିଟାଲ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରିବାକୁ ମନା କରୁଛନ୍ତି ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଦିଲ୍ଲୀର ଘରୋଇ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଅଧିକ ଟଙ୍କା ଆଦାୟ କରୁଥିବା ଜଣାପଡିବା ପରେ କେଜରିଓ୍ବାଲ କଠୋର ହୋଇଛନ୍ତି। ଏବେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜଣେ ପ୍ରତିନିଧି ସବୁ ଘରୋଇ ହସ୍ପିଟାଲରେ ନିଯୁକ୍ତ କରାଯିବେ ଓ ସେମାନେ ହସ୍ପିଟାଲରେ ଉପଲବ୍ଧ ବେଡ୍‌ ସମ୍ପର୍କରେ ସୂଚନା ଦେବେ। ଯଦି କୌଣସି ଘରୋଇ ହସ୍ପିଟାଲ ଟେଷ୍ଟ କରିବା ବାହାନାରେ କରୋନା ରୋଗୀଙ୍କର ଚିକିତ୍ସା କରିବାକୁ ମନା କରନ୍ତି ତେବେ ବି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, କରୋନା ଚିକିତ୍ସା ଲାଗି କେଉଁ ହସ୍ପିଟାଲରେ କେତେ ବେଡ୍‌ ଅଛି ତାହା ଜାଣିବା ପାଇଁ ନିକଟରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ମୋବାଇଲ ଆପ୍‌ ମଧ୍ୟ ଲଞ୍ଚ କରାଯାଇଥିଲା।

Share