ରାଇଗୋଡ଼ା ଗ୍ରାମ ପୁନଃସ୍ଥାପନ କାର୍ଯ୍ୟ ସମୀକ୍ଷା: ୨୦ ମଧ୍ୟରେ ମିଳିବ ଅନୁକମ୍ପା ଅର୍ଥ

ଅନୁଗୋଳ ଅଫିସ, ୯।୮-ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର କୋର୍‌ ଅଞ୍ଚଳରୁ ସାରୁଆଳିକୁ ବିସ୍ଥାପିତ ହୋଇଥିବା ନୂଆ ରାଇଗୋଡ଼ା ଗ୍ରାମବାସୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି ଜିଲାପାଳ ମନୋଜ କୁମାର ମହାନ୍ତି। ସାରୁଆଳି ଠାରେ ପୁନଃସ୍ଥାପନ ହୋଇଥିବା ୭୮ଟି ପରିବାରକୁ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ଯେପରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ମିଳେ ତାହା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଘର ପାଇଁ ପ୍ଲଟ ଚିହ୍ନଟକରଣ କାର୍ଯ୍ୟ ଶେଷ କରିବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ୫୬ଟି ପ୍ଲଟ ଚିହ୍ନଟ ହୋଇ ବିଜୁ ପକ୍କାଘର ନିର୍ମାଣ ଶେଷ ହୋଇଥିବାବେଳେ ଅନ୍ୟ ୨୨ଟି ପ୍ଲଟ ଜମି ଜମା ବିବାଦ ହେତୁ ଚିହ୍ନଟ ହୋଇପାରିନାହିଁ। ତେବେ ସମ୍ପୂର୍ଣ୍ଣ ହୋଇଥିବା ୫୬ଟି ଗୃହରେ ଆବଶ୍ୟକ ବିଦ୍ୟୁତ୍‌ ସଂଯୋଗ ଓ ପାନୀୟ ଜଳ ଯୋଗାଣ ଶେଷ ହୋଇଛି। ସମ୍ପୃକ୍ତ ୭୮ଟି ପରିବାରକୁ ୨ କୋଟି ୩ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ପ୍ରଦାନ ପାଇଁ ତହସିଲଦାରଙ୍କୁ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୧ କୋଟି ୨୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ବୋଲି ତହସିଲଦାର ପ୍ରକାଶ କରିଥିଲେ। ଆସନ୍ତା ୧୬ ତାରିଖରେ ଉପଜିଲାପାଳଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ଉକ୍ତ ଗ୍ରାମ ଅନୁଧ୍ୟାନ କରି ସମସ୍ୟା ସମ୍ପର୍କରେ ଜଣାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ୨୧ଟି ପରିବାର ଅନୁକମ୍ପା ସହାୟତା ପାଇବା ପାଇଁ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି ସେମାନଙ୍କୁ ଆସନ୍ତା ୨୦ ତାରିଖ ସୁଦ୍ଧା ଏହା ପ୍ରଦାନ କରିବାକୁ ଜିଲାପାଳ ତହସିଲଦାରଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ପ୍ରଦାନ କରାଯାଉଥିବା ସହାୟତା ରାଶିରୁ ଲୋକଙ୍କ ଦାବି ମୁତାବକ ୬ ଲକ୍ଷ ସ୍ଥାୟୀ ଜମା ଓ ବାକି ୪ ଲକ୍ଷ ଟଙ୍କା ବିଭିନ୍ନ ଖର୍ଚ୍ଚ ବାବଦରେ ପ୍ରଦାନ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା। ସେହିପରି ସ୍ଥାୟୀ ଜଳ ଉତ୍ସ ପାଇଁ ପାହାଡ଼ ପାଣିକୁ ସଂରକ୍ଷିତ କରି ରଖିବା ପାଇଁ ଗାର୍ଡଓ୍ବାଲ୍‌ ଓ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଏକ ଚେକ୍‌ ଡ୍ୟାମ୍‌ ନିର୍ମାଣ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ସେହିପରି ଶିକ୍ଷା, ସ୍ବାସ୍ଥ୍ୟ ସହ ୭୮ଟି ପରିବାର ପାଇଁ ଏକ ମିନି ଅଙ୍ଗନୱାଡ଼ି କେନ୍ଦ୍ର ପ୍ରତିଷ୍ଠା, ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ଧନ୍ଦାମୂଳକ ତାଲିମ ପ୍ରଦାନ ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଏହି ସମୀକ୍ଷା ବୈଠକରେ ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନ ବନଖଣ୍ଡ ଅଧିକାରୀ ପି. ରାମସ୍ବାମୀ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ ଓ ବନ ବିଭାଗ କର୍ମକର୍ତ୍ତାମାନେ ଯୋଗଦେଇଥିଲେ।