Categories: ବାଣିଜ୍ୟ

ରପ୍ତାନିକାରୀଙ୍କ ଲାଗି ଜିଏସ୍‌ଟି ରିଫଣ୍ଡ ପ୍ରକ୍ରିୟାରେ ପରିବର୍ତ୍ତନ

ନୂଆଦିଲ୍ଲୀ,୨୭-୫: ରପ୍ତାନିକାରୀଙ୍କ ଲାଗି ଜିଏସ୍‌ଟି ପ୍ରକ୍ରିୟାକୁ ସରଳ କରିବା ତଥା ଏଥିରେ ଗତିଶୀଳତା ଆଣିବା ଲକ୍ଷ୍ୟରେ ଅର୍ଥ ମନ୍ତ୍ରଣାଳୟ ପଦକ୍ଷେପ ନେବାକୁ ଯାଉଛି। ଏହା ଅଧୀନରେ ଜିଏସ୍‌ଟି ରିଫଣ୍ଡକୁ ମଞ୍ଜୁରୀ ତଥା ପ୍ରୋସେସିଂ ଉଭୟ କାମକୁ ଗୋଟିଏ ବ୍ୟବସ୍ଥା ବା ପ୍ରାଧିକରଣ କରିବ। ବର୍ତ୍ତମାନ ବ୍ୟବସ୍ଥାରେ ରପ୍ତାନିକାରୀଙ୍କୁ ଉଭୟ କେନ୍ଦ୍ର ଓରାଜ୍ୟର ଟିକସ ଅଧିକାରୀଙ୍କ ଠାରୁ ଅନୁମତି ନେବାକୁ ପଡ଼ୁଛି। ଅଗଷ୍ଟରୁ ଏହି ବ୍ୟବସ୍ଥା ରେ ପରିବର୍ତ୍ତନ କରାଯିବ। ନୂଆ ବ୍ୟବସ୍ଥାରେ ଦୁଇଟି ବଦଳରେ ଗୋଟିଏ ସ୍ଥାନରେ ପ୍ରାଧିକରଣ ଜିଏସ୍‌ଟି ରିଫଣ୍ଡକୁ ମଞ୍ଜୁରି ତଥା ପ୍ରକ୍ରିୟାକରଣ କରିବ। ରାଜସ୍ବ ବିଭାଗ ପକ୍ଷରୁ ଏଥିନେଇ କାମ ଚାଲିଛି। ତଦନୁଯାୟୀ, ଟିକସଦାତାଙ୍କ ଦାବି ମଞ୍ଜୁର ହେବା ପରେ ଅଧିକାରୀଙ୍କ ଠାରୁ ସମ୍ପୂର୍ଣ୍ଣ ରିଫଣ୍ଡ ମିଳିଯିବ। ବର୍ତ୍ତମାନ ଟିକସଦାତାଙ୍କ ରିଫଣ୍ଡ ଦାବି ମଞ୍ଜୁର କରି କେନ୍ଦ୍ରୀୟ ଟିକସ ଅଧିକାରୀ ୫୦ ପ୍ରତିଶତ ରିଫଣ୍ଡ କରିଦିଅନ୍ତି ଏବଂ ବାକି ଅଧା ରାଶି ରାଜ୍ୟ ଟିକସ ଅଧିକାରୀ ସମ୍ପୂର୍ଣ୍ଣ ଯାଞ୍ଚ ପରେ ଦେଇଥାନ୍ତି। ଜିଏସ୍‌ଟି ରିଫଣ୍ଡ ଲାଗି ରାଜ୍ୟ ଟିକସ ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନ କରାଗଲେ ମଧ୍ୟ ସମାନ ବ୍ୟବସ୍ଥା ପାଳନ କରାଯାଉଛି। ଏହି କାରଣରୁ ରିଫଣ୍ଡ ମିଳିବା ବିଳମ୍ବିତ ହେଉଛି। ଫଳରେ ରପ୍ତାନିକାରୀଙ୍କୁ ନଗଦ ସଙ୍କଟର ସାମ୍ନା କରିବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଅର୍ଥ ମନ୍ତ୍ରଣାଳୟ ଗୋଟିଏ ପ୍ରକାର ବ୍ୟବସ୍ଥା ଆପଣାଇବାକୁ ଯାଉଛି।

Share