ରଣପୁର ରାଜନଅରରେ ମା’ ଖିଲାମୁଣ୍ଡା : କାଠିରେ ରହି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି

ରଣପୁର, ୭ା୧୦(ସ୍ବ.ପ୍ର.): ରଣପୁର ଅଞ୍ଚଳର ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ରାଆଁଳାର ଘଞ୍ଚ ଜଙ୍ଗଲରେ ଥିବା ଆସ୍ଥାନ ଛାଡି ୧୬ଦିନ ହେଲା ରଣପୁର ରାଜନଅରକୁ ଆସି କାଠିରେ ରହି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଦେବୀ ପୀଠମାନଙ୍କରେ ଷୋଡଶ ଉପଚାର ପୂଜା ଆରମ୍ଭ ହେବା ଦିନକ ପୂର୍ବରୁ ମା’ ଖିଲାମୁଣ୍ଡାଙ୍କୁ ଆସ୍ଥାନରୁ ଏକ ଆଟୋପ ଶୋଭାଯାତ୍ରାରେ ରାଜନଅରକୁ ଅଣାଯାଇଥାଏ। ମା’ଙ୍କ ଶକ୍ତି ଏକ କାଠି ସାହାଯ୍ୟରେ ଆସିଥାନ୍ତି। ବାଟରେ ମା’ ଭେଟବର, କରଡାପଲ୍ଲୀ, କଳାମାଟିଆ, ଗୁଣ୍ଡରିବାଡି, ଲାଖପଡା, ନନ୍ଦପୁର ଆଦି ଗ୍ରାମବାସୀଙ୍କଠାରୁ ପୂଜାର୍ଘ୍ୟ ଗ୍ରହଣ କରିଥାନ୍ତି। ଶେଷରେ କଂସାରିସାହି ବାଟଦେଇ ମା’ ରଣପୁର ରାଜନଅରରେ ପହଞ୍ଚତ୍ବା ପରେ ରାଜା ସାହେବ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି। ରାଜନଅରରେ ମାଆ ଦଶହରା ଯାଏ ରହି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଦଶହରା ଦିନ ମାଆଙ୍କୁ ରାଜା ରାତ୍ରରେ ତାଙ୍କର ପାତ୍ରମନ୍ତ୍ରୀଙ୍କ ଗହଣରେ ରାଜନଅରରୁ ଦଶହରା ପଡିଆକୁ ନେଇଥାନ୍ତି। ହଜାର ହଜାର ଭକ୍ତଙ୍କ ସମାଗମରେ ମାଆ ଦଶହରା ପଡିଆକୁ ଗଲାବେଳେ ବାଜା, ବାଣ ସହିତ ଢୋଲ ଓ ମହୁରୀ ବାଦ୍ୟରେ ରଣପୁର ଅଞ୍ଚଳ ପ୍ରକମ୍ପିତ ହୋଇଉଠେ। ସେଠାରେ ପହଞ୍ଚତ୍ବା ପରେ ରାଜା ମାଆଙ୍କ ଚରଣ ବନ୍ଦାପନା କରିଥାନ୍ତି। ମାଆଙ୍କ ଉଦ୍ଦେଶ୍ୟରେ ସାତଥର ତୋପ ଧ୍ୱନି ଦିଆଯିବା ପରେ ଏକ ପାରାକୁ ଅନ୍ଧାର ରାତ୍ରର ଆକାଶରେ ଉଡାଇ ଦିଆଯାଏ। କୁହାଯାଏ ମାଆ ପାରା ମାଧ୍ୟମରେ ସେଠାରୁ ବିଦାୟ ନେଇଥାନ୍ତି। ରଣପୁର ନିକଟ ରାଅଁାଳା ମାଳର ମାଆ ଖିଲାମୁଣ୍ଡା କେଉଁ ସମୟରୁ ପୂଜା ପାଉଛନ୍ତି ସେ ନେଇ ଇତିହାସ ନୀରବ। ତେବେ ୧୬୯୧ ମସିହାରେ ରଣପୁର ରାଜା ନରେନ୍ଦ୍ରଙ୍କ ସହ ପୁରୀ ଗଜପତି ପ୍ରତାପ ଦିବ୍ୟସିଂହଦେବଙ୍କ ଯୁଦ୍ଧ ହୋଇଥିଲା। ଏଥିରେ ରାଜା ନରେନ୍ଦ୍ର ବିଜୟୀ ହୋଇଥିଲେ। ଯୁଦ୍ଧ ପୂର୍ବରୁ ରାଜା ମାନସିକ କରିଥିଲେ ଯେ, ସେ ବିଜୟୀ ହେଲେ ମାଆଙ୍କୁ ଦଶହରାର ଷୋଳଦିନ ପୂର୍ବରୁ ରାଜନଅର ନେଇଯାଇ ସେଠାରେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରିବେ। ଯୁଦ୍ଧରେ ବିଜୟ ହେବା କାରଣରୁ ସେହିବର୍ଷ ରାଜା ନରେନ୍ଦ୍ର ମାଆଙ୍କୁ ରାଆଁଳା ମାଳରୁ ରାଜନଅରକୁ ଆଣି ପୂଜା କରିଥିଲେ। ସେବେଠାରୁ ଏହି ପରମ୍ପରା ଚାଲିଆସୁଛି।