ରଟିଣାରେ ୩୫ ଜଣଙ୍କ ସ୍ବାବ ଟେଷ୍ଟ

ଖଇରା, ୪।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ଗ୍ରାମରୁ ରବିବାର ଜଣେ ୩୪ ବର୍ଷୀୟ କଲିକତା ଫେରନ୍ତା କରୋନା ସଂକ୍ରମିତ ଥିବା ଚିହ୍ନଟ ହେବା ପରେ ଏହି ଅଞ୍ଚଳରୁ ସ୍ବାବ ପରୀକ୍ଷା କାର୍ଯ୍ୟ ଆରମ୍ଭ ହୋଇଛି। ବାଲେଶ୍ୱରରୁ ଆସିଥିବା ମେଡିକାଲ ଟିମ୍‌ ରଟିଣା ପ୍ରହଲ୍ଲାଦ ପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାପୀଠରେ ଚାଲୁଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ୩୫ଜଣଙ୍କଠାରୁ ଏହି ସ୍ବାବ ସଂଗ୍ରହ କରିଥିଲେ। ସେହିଭଳି ଉକ୍ତ ବିଦ୍ୟାଳୟ ପରିସରକୁ ମଧ୍ୟ ବିଶୋଧନ କରାଯାଇଛି। ତେବେ ବିଦ୍ୟାଳୟ ସଂଲଗ୍ନ ରଟିଣା ଗ୍ରାମକୁ ବିଶୋଧନ କରାଯାଇ ନ ଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ଗ୍ରାମକୁ ବିଶୋଧନ କରିବାକୁ ସରପଞ୍ଚ ସତ୍ୟାନନ୍ଦ ଦାସଙ୍କ ସମେତ ଗ୍ରାମର ଶମ୍ଭୁନାଥ ନାୟକ, ମୂରଲୀଧର ପାଣିଗ୍ରାହୀ, ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ ଦାବି କରିଛନ୍ତି।