Categories: ଜାତୀୟ

ଯୌନକର୍ମୀଙ୍କୁ ଗିରଫ କରିବା ଅନୁଚିତ

କଲିକତା,୧୨ା୮: ଯୌନକର୍ମୀମାନଙ୍କୁ ଗିରଫ କରିବା ଅନୁଚିତ। ସେମାନଙ୍କୁ ଅପରାଧର ଶିକାର ଭାବେ ବିବେଚନା କରାଯିବା ଜରୁରୀ ବୋଲି କଲିକତା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି।
କଲିକତାର ଏକ ସ୍ପା’ରେ ଜଣେ ନାବାଳିକାଙ୍କ ସମେତ କେତେଜଣ ମହିଳାଙ୍କୁ ଗଣିକାବୃତ୍ତିରେ ନିୟୋଜିତ କରାଯାଇଥିବା ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ସ୍ପା’ର ମାଲିକ ଆଗୁଆ ଜାମିନ ପାଇଁ କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ମନୋଜିତ୍‌ ମଣ୍ଡଳ ଓ ଜୟମାଲା ବାଗ୍‌ଚିଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପା ମାଲିକଙ୍କ ପକ୍ଷରୁ ଦାଏର ଅଗ୍ରିମ ଜାମିନ ଆବେଦନକୁ ଶନିବାର ଖାରଜ କରି କହିଛନ୍ତି, ଯୌନକର୍ମୀମାନଙ୍କୁ ବ୍ୟବସାୟିକ ଯୌନ କାର୍ଯ୍ୟରେ ଶୋଷଣ କରାଯାଉଛି। ବେଆଇନ ଚାଲାଣ (ନିବାରଣ) ଆଇନ, ୧୯୫୬ ଅନୁସାରେ ଯୌନକର୍ମୀମାନେ ଅପରାଧର ସହ-ଷଡ଼ଯନ୍ତ୍ରକାରୀ ଭାବେ ସମ୍ପୃକ୍ତ ବୋଲି ରେକର୍ଡରେ ଦର୍ଶାଯାଇ ନ ଥିଲେ ସେମାନଙ୍କୁ ଗିରଫ କରାଯିବା ଅନୁଚିତ। ଏହା ପରିବର୍ତ୍ତେ ସେମାନଙ୍କୁ ଅପରାଧର ପୀଡ଼ିତା ଭାବେ ବିଚାର କରାଯିବା ଜରୁରୀ। ଏହାସହ ସାକ୍ଷ୍ୟ ସୁରକ୍ଷା କାର୍ଯ୍ୟକ୍ରମ, ଅନ୍ତରୀଣ କ୍ଷତିପୂରଣ ପ୍ରଦାନ ଓ ଅନ୍ୟ ପୁନଃ ଥଇଥାନ ବ୍ୟବସ୍ଥା ଭଳି ଆଇନାନୁସାରେ ଉପଲବ୍ଧ ସମସ୍ତ ଉନ୍ନତିକାରକ ସାଧନ ସେମାନଙ୍କୁ ଯୋଗାଇ ଦିଆଯିବା ଉଚିତ ବୋଲି ଖଣ୍ଡପୀଠ ରାୟ ଦେଇଛନ୍ତି।

Share