ଯୋର ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଅମରପାଲି, ୪।୮ (ଡି.ଏନ.ଏ.)-ବିପଦପୂର୍ଣ୍ଣ ଭାବେ ଯୋର ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର। ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିହର ଯୋରରେ। ପ୍ରାୟ ୩୦ରୁ ୪୦ଜଣ ଛାତ୍ରୀଛାତ୍ର ପ୍ରତ୍ୟହ ଯୋର ପାର ହୋଇ ସ୍କୁଲ ଯାଉଛନ୍ତି। ଉକ୍ତ ଯୋର ଉପରେ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ତାହା ସରିନାହିଁ ା ଫଳରେ ଦୁର୍ଜନତୈଲା ପଞ୍ଚାୟତର ମସିଣାପାଲି, ମାଖନଖାଇ, ସୁରଧାପାଲି, ଦୁର୍ଜନତୈଲା, ବ୍ରାହ୍ମଣୀପାଲି, ଗୋଘାଟ, ବରଘାଟ ଦାଦର ଆଦି ଗ୍ରାମର ୬ଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ପ୍ରତ୍ୟହ ଉକ୍ତ ବାଟଦେଇ ସାଗଯୋରୀ ସ୍କୁଲକୁ ଯାଇଥାନ୍ତି । ପୂର୍ବରୁ ହରିହରଯୋର ପ୍ରକଳ୍ପ ଉପର ରାସ୍ତା ଦେଇ ଛାତ୍ରୀଛାତ୍ର ଯିବା ଆସିବା କରୁଥିଲେ। ମାତ୍ର ଉକ୍ତ ରାସ୍ତା ଏବେ ଖାଲଖମା ପୂର୍ଣ୍ଣ ହେବା ସହିତ ଶୋଚନୀୟ ହୋଇପଡିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି। ଫଳରେ ସେହି ବାଟରେ ଏବେ ଯିବା ଆସିବା ସମ୍ଭବ ହେଉନାହିଁ । ଏହି ରାସ୍ତାରେ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ହେଉଛି। ତେଣୁ ଛାତ୍ରୀଛାତ୍ରମାନେ ବାଧ୍ୟ ହୋଇ ଯୋର ପାର ହୋଇ ସ୍କୁଲ ଯାଉଛନ୍ତି । ଟିକିଏ ବର୍ଷା ହେଲେ ଯୋରରେ ପାଣି ଆସୁଛି । ପିଲାଏ ବହିପତ୍ର ଓ ସାଇକେଲ ଧରି ୩ରୁ ୪ ଫୁଟ ପାଣି ପାର ହେଉଥିବା ଦେଖିବାକୁ ମିଳୁଛି । ଟିକିଏ ଅସାବଧାନତା ହେଲେ ପାଣିରେ ଭାସିଯିବାର ସମ୍ଭାବନା ରହିଛି । ଉକ୍ତ ଯୋର ଉପରେ ଏବେ ଏକ ପୋଲ ନିର୍ମାଣ ହେଉଥିଲେ ମଧ୍ୟ ଏହାର କାମ ମନ୍ଥର ଗତିରେ ଚାଲିଥିବାରୁ ପିଲାଏ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍କୁଲ ଯାଉଥିବା ଅଧିକାଂଶ ଛାତ୍ରୀଛାତ୍ର ଆଦିବାସୀ ଶ୍ରେଣୀର। ଏଣୁ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।