ଯୋଡ଼ାରେ କାଳବୈଶାଖୀ: ଉପୁଡିଲା ଗଛ, ଭାଙ୍ଗିଲା ଛପର ଘର

ଯୋଡ଼ା, ୪।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁତ ବେଗରେ ପବନ ଆରମ୍ଭ ହୋଇଥିଲା। ମାତ୍ର ୧୫ମିନିଟ୍‌ରେ ଯୋଡା ସହରରେ ତାଣ୍ଡବ ରଚିଥିଲା। କାଳବୈଶାଖୀ ଯୋଗୁ ସହରରେ ଥିବା ବହୁ ପୁରାତନ ଗଛ ଉପୁଡିଯିବା ସହ ବହୁ ସ୍ଥାନରେ ଘର ଛପର ଉଡିଯାଇଥିଲା। ଏଥିସହ ଯୋଡା ସହରର ଷ୍ଟେଟ୍‌ ବ୍ୟାଙ୍କ ନିକଟରେ ଅବସ୍ଥିତ ହନୁମାନ ମନ୍ଦିରର ବେଢାରେ ଥିବା ବହୁ ପୁରାତନ ବିଶାଳକାୟ ଅଶ୍ୱତ୍‌ଥ ଗଛଟି ଉପୁଡି ପଡିବାରୁ ମନ୍ଦିର ପଛପାର୍ଶ୍ୱ ଭାଙ୍ଗିଯାଇଥିବା ବେଳେ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସର ସିଡି ଘର ଭାଙ୍ଗିଯାଇଛି। ସେହିପରି ଏହି ଗଛ ତଳେ ବାଇକ୍‌ ଚାପି ହୋଇରହିଛି ଏବଂ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ପଡିଛି। ଫଳରେ ସହରରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ଠପ୍‌ ହୋଇପଡିଛି। ଗଛଟି ଉପୁଡି ପଡିବାରୁ ରଣାଶାଳ-ବାମେବାରୀ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।