Categories: ଫୁରସତ

ଯେଉଁଠି ସଙ୍ଗୀତପ୍ରେମୀଙ୍କୁ ଜାଳିଦିଅନ୍ତି ତାଲିବାନ, ସେଠି ମହିଳା ଗଢ଼ିଛନ୍ତି ଅର୍କେଷ୍ଟ୍ରା ପାର୍ଟି

ଆଫଗାନିସ୍ତାନ ଏମିତି ଏକ ଦେଶ ଯେଉଁଠି ସଙ୍ଗୀତପ୍ରେମୀଙ୍କୁ ତାଲିବାନମାନେ ଜିଅନ୍ତା ଜାଳିଦିଅନ୍ତି। କିନ୍ତୁ ସେଠି ମହିଳାମାନେ ଏକତ୍ରିତ ହୋଇ କାହାକୁ ଖାତିର ନ କରି ଗଢ଼ିଛନ୍ତି ଏକ ଅର୍କେଷ୍ଟ୍ରା ପାର୍ଟି। ଏହି ପାର୍ଟିର ୩୦ ମହିଳା ଷ୍ଟେଜ୍‌ ପ୍ରୋଗ୍ରାମ କରି ସଙ୍ଗୀତର ମୂର୍ଚ୍ଛନାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଚାଲିଛନ୍ତି। ଏଠାରେ ମହିଳାମାନେ ପ୍ରଥମଥର ପାଇଁ ‘ଜୋହରା’ ନାମକ ଏକ ଅର୍କେଷ୍ଟ୍ରା ପାର୍ଟି ଗଢ଼ିଛନ୍ତି। ଏହି ଗୃପର ୩୦ ମହିଳା ଲଣ୍ଡନରେ ଯାଇ ପରଫର୍ମ କରିଛନ୍ତି। ଗୃପର ସଂଯୋଜିକା ଜରିକା ଅବିଦା କୁହନ୍ତି, ମହିଳାମାନେ ରାତିରେ ଷ୍ଟେଜରେ ସଙ୍ଗୀତ ପରିବେଷଣ କଲେ ସମାଜ ନାନା କଥା କହିଥାଏ। କିନ୍ତୁ ଆମେ ସେଥିପ୍ରତି ଭୃକ୍ଷେପ ନ କରି ସଙ୍ଗୀତରେ ମନୋନିବେଶ କରିଛୁ। ଏପରିକି ଆମ ଗୃପର ସମସ୍ତ ସଦସ୍ୟଙ୍କୁ ଲୋକଙ୍କ କଥା ପ୍ରତି ଧ୍ୟାନ ନ ଦେବାକୁ ପରାମର୍ଶ ଦିଆଯାଇଛି। ଆମର ସ୍ବପ୍ନ ପୂରା କରିବା ପାଇଁ ପରିଶ୍ରମ କରୁଛୁ। ସେ କୁହନ୍ତି, ପରିବାର ଲୋକେ ତାଙ୍କ ସ୍କୁଲ ଯିବା ବନ୍ଦ କରି ଅଳ୍ପ ବୟସରେ ବିବାହ ଦେଇଥିଲେ। କିନ୍ତୁ ତାଙ୍କର ସଙ୍ଗୀତରେ ରୁଚି ଥିବାରୁ ସେ ୨୦୧୪ରେ ସଙ୍ଗୀତ ସ୍କୁଲ ଏଏନ୍‌ଆଇଏମ୍‌ରେ ନାମ ଲେଖାଇଥିଲେ। ଏ ସମ୍ପର୍କରେ ସେ ପରିବାରକୁ ମଧ୍ୟ ଜଣାଇ ନ ଥିଲେ। କାରଣ ଏଠାରେ ଝିଅମାନଙ୍କୁ ସଙ୍ଗୀତ ଶିଖିବା ପାଇଁ ଅନୁମତି ନାହିଁ। ୨୦୧୫ରେ ‘ଜୋହରା’ନାମକ ଏକ ଅର୍କେଷ୍ଟ୍ରା ପାର୍ଟି ଗଢ଼ି ସଙ୍ଗୀତ ପରିବେଷଣ କରିବାକୁ ଆମେରିକା ଯାଇଥିଲେ। ସେତେବେଳେ ଅନୁଭବ ହେଲା ଅଲଗା ଦେଶର ଲୋକେ ସଙ୍ଗୀତକୁ କେତେ ଭଲପାଆନ୍ତି। ଖାସ୍‌ କରି ଲୋକଙ୍କ ମନ ଜିଣିବାକୁ ସଙ୍ଗୀତ ପ୍ରତି ମନ ବଳାଇ ଆଜିପର୍ଯ୍ୟନ୍ତ ସେ ପଛକୁ ଫେରିନାହାନ୍ତି କିମ୍ବା କୌଣସି କଥାରେ ଡରିଯାଇନାହାନ୍ତି। ଯେଉଁଥିପାଇଁ ୩୦ଜଣ ମହିଳାଙ୍କୁ ଏକାଠି କରି ଏହି ଅର୍କେଷ୍ଟ୍ରା ପାର୍ଟି ଗଢ଼ିଛନ୍ତି। ମହିଳାଙ୍କ ଏହି ସାହସିକତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

Share