ଯୁବତୀଙ୍କୁ ବିବାହ କରିବାକୁ ଜିଦ୍‌, ଯୁବକ ଗିରଫ

ବାଲିକୁଦା,୧୬ା୧୨(ସ୍ବ.ପ୍ର.): ବାଲିକୁଦା ଥାନା ଅଧୀନ ତିତିରା ପଞ୍ଚାୟତର ଜଣେ ଯୁବତୀଙ୍କୁ ବିବାହ କରିବାକୁ ଜିଦ୍‌ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏପରି କି ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ସେ ହେଲେ ଥାନା ଅଧୀନ ସୁମୋଡ଼ା(ବାଲିସାହି) ଗଁାର ନିମାଇଁ ସ୍ବାଇଁ। ଶୁକ୍ରବାର ଯୁବତୀ ଜଣଙ୍କ ଘରେ ଏକା ଥିବାର ସୁଯୋଗ ନେଇ ନିମାଇଁ ପହଞ୍ଚତ୍ ତାଙ୍କୁ ବିବାହ କରିବାକୁ କହିଥିଲେ। ଏଥିରେ ଯୁବତୀ ରାଜି ନ ହେବାରୁ ସେ ତାଙ୍କୁ ଟଣାଓଟରା କରିଥିଲେ। ଏପରି କି ତାଙ୍କୁ ସାଙ୍ଗରେ ନେଇ ଯିବାକୁ କହିଥିଲେ। ନିମାଇଁଙ୍କ ଏପରି ବ୍ୟବହାର ଦେଖି ଯୁବତୀ ଚିତ୍କାର କରିଥିଲେ। ଏହାଶୁଣି ପାଖ ପଡୋଶୀ ଲୋକେ ଆସିଯିବାରୁ କୌଶଳ କରି ନିମାଇଁ ଖସି ପଳାଇଥିଲେ। ପରିବାର ଲୋକେ ଘରେ ପହଞ୍ଚିବା ପରେ ଯୁବତୀ ସବୁ କଥା କହିଥିଲେ। ଏହାପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନିମାଇଁଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ଏନେଇ ମାମଲା ସଂଖ୍ୟା-୨୬୦/୧୯ ରୁଜୁ ହୋଇଛି।