ଯୁବକଙ୍କୁ ହାଜତରେ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ: କଙ୍କଡ଼ାହାଡ଼ ଥାନା ଏଏସ୍ଆଇ ନିଲମ୍ବିତ

ଢେଙ୍କାନାଳ ଅଫିସ/କାମାକ୍ଷାନଗର(ଡି.ଏନ୍‌.ଏ.) ୧୧।୧ – ଆକ୍ରମଣର ଶିକାର ହୋଇଥିବା ଜଣେ ମହିଳାଙ୍କ ଏତଲା ନ ରଖିବା ଏବଂ ଏହାର ପ୍ରତିବାଦ କରିବାରୁ ଜଣେ ଯୁବକଙ୍କୁ ଥାନା ହାଜତରେ ଉଲଗ୍ନ କରି ନିସ୍ତୁକ ମାଡ଼ ମରାଯିବା ଅଭିଯୋଗ ଘଟଣାରେ କଙ୍କଡ଼ାହାଡ଼ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଏଏସ୍‌ଆଇ ଯଶୋବନ୍ତ ପୃଷ୍ଟି। ଆଇଆଇସି ପ୍ରମୋଦ କୁମାର ଲେଙ୍କାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏସ୍‌ପି ଅନୁପମା ଜେମ୍‌ସଙ୍କ ହସ୍ତକ୍ଷେପ ପରେ ଅଭିଯୋଗକାରୀ ମହିଳାଙ୍କ ଏତଲା ରଖିଛି ପୋଲିସ। ଆକ୍ରମଣ ମାମଲାରେ ନଂ. ୪/୨୦, ଦଫା ୩୨୫ ଏବଂ ୩୦୭ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବର ୧୩ରେ କଙ୍କଡ଼ାହାଡ଼ ଥାନା ଶଶାପଶି ଗ୍ରାମର ଜନୈକ ଦମ୍ପତିଙ୍କ ମଧ୍ୟରେ ଚାଲିଥିବା କହଳର ସମାଧାନ କରିବାକୁ ଯାଇଥିବାବେଳେ ବବିତା କବି ସମ୍ପୃକ୍ତ ମହିଳାଙ୍କ ସ୍ବାମୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ। ଏ ନେଇ ବବିତାଙ୍କ ସ୍ବାମୀ ଜୟରାମ କବି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୋଲିସ ମାମଲା ରୁଜୁ କଲାନାହିଁ। ଘଟଣାର ୩ ସପ୍ତାହ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଅଭିଯୋଗକାରୀ ଜୟରାମ ଗ୍ରାମର ଜ୍ଞାନରଞ୍ଜନ ବେହେରା ଏବଂ ଅନ୍ୟ ଜଣଙ୍କୁ ନେଇ ଗତ ଜାନୁୟାରୀ ୭ ସନ୍ଧ୍ୟା ୬ଟାରେ ଥାନାରେ ମାମଲା ରୁଜୁ ହୋଇଛି କି ନାହିଁ ସେ ସମ୍ପର୍କରେ ବୁଝିବାକୁ ଯାଇଥିଲେ। ଏଥିରେ ଉତ୍ତେଜିତ ହୋଇ ଥାନାଧିକାରୀ ଜ୍ଞାନରଞ୍ଜନଙ୍କୁ ଉଲଗ୍ନ କରି ନିସ୍ତୁକ ମାଡ଼ମାରିବା ସହ ହାଜତ ଭିତରେ ପୂରାଇ ନିର୍ଯାତନା ଦେଇଥିବା ନେଇ ଗୁରୁବାର ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏ ନେଇ ଶୁକ୍ରବାର ‘ଧରିତ୍ରୀ’ରେ ଖବର ପ୍ରକାଶିତ ହେବାପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।