Categories: କନ୍ଧମାଳ

ଯୁବକଙ୍କୁ ନିଶାଦେଇ ୨୦ ହଜାର ଲୁଟ୍‌

ଫୁଲବାଣୀ ଅଫିସ, ୮ା୩- କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ରେବିଙ୍ଗିଆ ପଞ୍ଚାୟତ ଦୁଲିକିଆ ଗ୍ରାମର ଜଣେ ଯୁବକ ଲୁଟ୍‌ର ଶିକାର ହୋଇଛନ୍ତି। ସେ ହେଲେ ସୁରୁଡି ଦିଗାଲ। ଦୁଇ ଦୁର୍ବୃତ୍ତ ତାଙ୍କୁ କୌଣସି ନିଶାଦ୍ରବ୍ୟ ଦ୍ୱାରା ଅଚେତ କରାଇ ୨୦ ହଜାର ଟଙ୍କା ଲୁଟ୍‌ କରିଛନ୍ତି। ଅଚେତ ଅବସ୍ଥାରେ ସୁରୁଡିଙ୍କୁ ପ୍ରଥମେ ବାରଖମା ସ୍ବାସ୍ଥ୍ୟକେନ୍ଦ୍ର, ସେଠାରୁ ବାଲିଗୁଡା ଏବଂ ପରେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେ ଏବେ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ ଜଣାପଡିଛି।
ସୁରୁଡ଼ିଙ୍କ ସ୍ତ୍ରୀ ସଙ୍ଗୀତା କହିଛନ୍ତି ଯେ, ଶନିବାର ସ୍ବାମୀଙ୍କ ସହ ମିଶି ସେ ଟଙ୍କା ଉଠାଇବା ପାଇଁ ବାରଖମା ଷ୍ଟେଟ ବ୍ୟାଙ୍କ ଶାଖାକୁ ଆସିଥିଲେ । ୨୦ ହଜାର ଟଙ୍କା ଉଠାଇ ଉଭୟେ ଫେରୁଥିବା ବେଳେ ରାସ୍ତାରେ ୨ ଜଣ ଯୁବକ ଏକ ବାଇକରେ ଆସି ମଦ ଦୋକାନ କେଉଁଠି ଅଛି ବୋଲି ପଚାରିଥିଲେ। ପରେ ସେମାନେ ସୁରୁଡ଼ିଙ୍କୁ ସାଙ୍ଗରେ ଆସି ଦୋକାନ ଦେଖାଇ ଦେବାକୁ ଅନୁରୋଧ କରିଥିଲେ । ସୁରୁଡି ସେମାନଙ୍କ ସହ ଯାଇଥିଲେ ମଧ୍ୟ ଫେରିବାରେ ବିଳମ୍ବ ହୋଇଥିଲା। ସଙ୍ଗୀତା ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ । ସରୁଡ଼ିଙ୍କୁ ଫୋନ କରିବାରୁ ବାରଖମା ଦଣ୍ଡିସାହି ଗ୍ରାମ ପାଖ ଆଡିବାଲି ଶଙ୍ଖ ପାଖରେ ସେ ଅଚେତ ଅବସ୍ଥାରେ ପଡିଥିବା କେହିଜଣେ କହିଥିଲେ । ସଙ୍ଗୀତା କିଛି ଲୋକଙ୍କ ସହ ସେଠାକୁ ଯାଇ ସ୍ବାମୀଙ୍କୁ ଉଦ୍ଧାର କରିଥିଲେ । ସୁରୁଡିଙ୍କ ପାଖରେ ମାତ୍ର ୨୦୦ ଟଙ୍କା ଥିବା ବେଳେ ୨୦ ହଜାର ଟଙ୍କା ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ ।