ନୂଆଦିଲ୍ଲୀ ,୩୦ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱରେ ସଙ୍କଟ ସୃଷ୍ଟି ହୋଇଛି। ଏଥିରେ ଭାରତ ମଧ୍ୟ ପ୍ରଭାବିତ ହୋଇଛି। କିନ୍ତୁ ଯୁଦ୍ଧକୁ ନେଇ କଂଗ୍ରେସ ଯେଭଳି ଟିପ୍ପଣୀ କରୁଛି, ତଦ୍ଦ୍ବାରା ଉପସାଗରୀୟ ଦେଶଗୁଡିକରେ ରହୁଥିବା ଭାରତୀୟଙ୍କ ପାଇଁ ବିପଦ ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ରବିବାର କେରଳର ପାଲାକାଡ୍ରେ ଏକ ରାଲିକୁ ସମ୍ବୋଧିତ କରି ମୋଦି କହିଛନ୍ତି, ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଭାରତ ଉପରେ ଯେତେ କମ୍ ପ୍ରଭାବ ପଡ଼ିବ ତାହା ଉପରେ ସରକାର ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି। ବିଶେଷକରି ଉପସାଗର ଅଞ୍ଚଳର ବିଭିନ୍ନ ଦେଶରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରାଯାଉଛି। କିନ୍ତୁ କଂଗ୍ରେସ ଏଭଳି ସ୍ଥିତିରେ ରାଜନୈତିକ ଫାଇଦା ଉଠାଇବାରୁ ପଛଉ ନାହିଁ। ଯୁଦ୍ଧ ପ୍ରସଙ୍ଗରେ କଂଗ୍ରେସ ନେତା ଯେଭଳି ମନ୍ତବ୍ୟ ଦେଉଛନ୍ତି ତାହା ଉପସାଗର ଅଞ୍ଚଳରେ ରହୁଥିବା ପ୍ରାୟ ୧ କୋଟି ଭାରତୀୟଙ୍କ ପାଇଁ ବିପଦ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଫେବୃଆରୀ ୨୮ରେ ଯୁଦ୍ଧ ଆରମ୍ଭ ହେବାପରେ ମଧ୍ୟପ୍ରାଚ୍ୟ ସ୍ଥିତି ଜଟିଳ ହୋଇଥିବାରୁ ସାଉଦି ଆରବ, ୟୁଏଇ, କାତାର ଏବଂ କୁଏଟ୍ ଆଦି ଦେଶ ସହ କୂଟନୈତିକ ସ୍ତରରେ ଆଲୋଚନା କରି ଭାରତୀୟଙ୍କ ସୁରକ୍ଷା ଲାଗି ନିରନ୍ତର ଉଦ୍ୟମ କରାଯାଇଛି।

