Categories: ବାଣିଜ୍ୟ

ଯାତ୍ରୀ ନିରାପତ୍ତା କ୍ଷେତ୍ରରେ ରେଳପଥର ରେକର୍ଡ

ମୁମ୍ବାଇ,୨୭-୧୨: ଚଳିତବର୍ଷ ରେଳ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ଜୀବନ ହାନି ହୋଇନି। ରେଳପଥର ୧୬୬ ବର୍ଷ ଲମ୍ବା ଇତିହାସରେ ପ୍ରଥମଥର ଲାଗି ଏଭଳି ହୋଇଛି। ଚଳିତ ଆର୍ଥତ୍କ ବର୍ଷରେ ଆଦୌ ଜୀନନହାନି ହୋଇ ନ ଥିବା (ଜିରୋ ପାସେଞ୍ଜର ଡେଥ୍‌) ଭାରତୀୟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ରେଳପଥ ସୂଚନା ମୁତାବକ, ରେଳଗାଡି ମଧ୍ୟରେ ଧକ୍କା, ଟ୍ରେନରେ ନିଆଁ ଲାଗିବା, ରେଳ ଲାଇନଚ୍ୟୁତ ହେବା ଭଳି ବିଭିନ୍ନ ଦୁର୍ଘଟଣା ଗତ ୩୮ ବର୍ଷ ମଧ୍ୟରେ ୯୫%ରୁ ଉର୍ଦ୍ଧ୍ୱ ହ୍ରାସ ଘଟିଛି। ସୁରକ୍ଷା ଦୃଷ୍ଟିକୋଣରୁ ଏହା ରେଲଓ୍ବେ ଲାଗି ଏକ ବଡ ସଫଳତା। ୨୦୧୭-୧୮ରେ ୭୩ ରେଳ ଦୁର୍ଘଟଣା ସାମ୍ନାକୁ ଆସିଛି। ଗତ ଆର୍ଥତ୍କ ବର୍ଷରେ ପ୍ରତି ୧୦ ଲକ୍ଷ କିଲୋମିଟର ମଧ୍ୟରେ ହେଉଥିବା ଟ୍ରେନ ଦୁର୍ଘଟଣା ହ୍ରାସ ଘଟି ନ୍ୟୁନତମ ୦.୦୬%କୁ ହ୍ରାସ ଘଟିଛି। ୧୯୬୦-୬୧ରେ ମୋଟ ୨୧୩୧ ରେଳ ଦୁର୍ଘଟଣା ଘଟିଥିଲା। ୧୯୭୦-୭୧ରେ ଏହା ହ୍ରାସ ଘଟି ୮୪୦ ରହିଥିଲା। ୧୯୮୦-୮୧ରେ ଏହା ୧୦୧୩କୁ ବଢିଯାଇଥିଲା। ୧୯୯୦-୯୧ରେ ଏହା ୫୩୨କୁ ଖସିଥିବା ବେଳେ ୨୦୧୦-୧୧ରେ ୧୪୧ ରେଳ ଦୁର୍ଘଟଣା ସାମ୍ନାକୁ ଆସିଥିଲା।
୨୦୧୪ ପରେ ରେଳ ବୋର୍ଡ ତରଫରୁ ରେଳପଥର ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଭିନ୍ନ ଅପହଞ୍ଚ ଇଲାକାକୁ ଟ୍ରେନ ସେବା ପହଞ୍ଚାଇବାକୁ ଯୋଜନା ଆରମ୍ଭ ହୋଇଛି। ନିକଟରେ କେନ୍ଦ୍ର କ୍ୟାବିନେଟ ରେଳ ବୋର୍ଡ ପୁନର୍ଗଠନକୁ ମଞ୍ଜୁରୀ ପ୍ରଦାନ କରିଛି। ରେଳପଥରେ ଏବେ ରେଳ ସୁରକ୍ଷା ବଳ ଏବଂ ଚିକିତ୍ସା ସେବା ବିଭାଗ ଭଳି ୨ଟି ବିଭାଗ ରହିବ। ବୋର୍ଡର ନେତୃତ୍ୱ ରେଳବୋର୍ଡ ଅଧ୍ୟକ୍ଷ ନେବେ। ସେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିବେ। ଏଥି ପାଇଁ ରେଳ ବୋର୍ଡରେ ୪ ସଦସ୍ୟ ଏବଂ କିଛି ସ୍ବତନ୍ତ୍ର ସଦସ୍ୟ ରହିବେ।

Share