ଯନ୍ତ୍ରୀକୃତ ଅମଳର ପରିବେଶୀୟ ପ୍ରଭାବ

ଡ. ଦେବାନନ୍ଦ ବେଉରା

କୋଭିଡ୍‌ କଟକଣା କମ୍‌ ହେଉ ହେଉ ମନହେଲା ଟିକେ ବାହାରେ ଯାଇ ବୁଲି ଆସିବାକୁ। ଭୁବନେଶ୍ୱର ବାହାରକୁ ବାହାରିଗଲା ପରେ ତଥା ଲକ୍ଷ୍ୟସ୍ଥଳ ନିର୍ଦ୍ଦିଷ୍ଟ ନ ଥିବାରୁ ପାଚିଲା ଧାନ କ୍ଷେତର ସୁନେଲି ଶିହରଣରେ ଆପେ ଆପେ ବାଟଭାଙ୍ଗି ଚାଲି ଗଲି କିଛି ଦୂର ା ଧାନର ଅମଳ ସମୟ। ଧାନ ଅମଳ ଚାଲିଛି କିନ୍ତୁ କଟାଳି ନାହାନ୍ତି କି ଧାନ କଟାଯାଉ ନାହିଁ। ଜମିରେ କଚଡା ପଡିନି କି ହଳା ବନ୍ଧା ହେଉନି। ବାହୁଙ୍ଗି ଭାରରେ ଗୋଚ୍ଛା ହିସାବରେ ଧାନ ଉଠୁନି ବିଲରୁ ା ଧାନ ଖଳାଟେ ମିଳିଲାନି କି ଧାନଗଦା ଗୋଟେ ଦେଖିଲିନି ା କେବଳ ଧାନ ଅମଳ ମେଶିନ ଆଉ କେତୋଟି ଟ୍ରାକ୍ଟରର ଗର୍ଜନ।
ନିମିଷକେ ପୋଛି ଦେଉଛି କିଆରି କିଆରି ଧାନକେଣ୍ଡା।
ଧାନ ବାଡ଼ା, ଉଡ଼ା ସବୁ ମେଶିନ ଦ୍ୱାରା। ଫଟାଫଟ ଭରିଦେଉଛି ଟ୍ରାକ୍ଟରର ଡାଲା। ଯାହା ରହିଯାଉଛି ବିଲରେ ଖାଲି ବିସ୍ତୃତ ପରିମିତ ନଡା-କୁଟା, ଧୂସ ଓ ଅନ୍ୟାନ୍ୟ ଅବଶିଷ୍ଟାଂଶ। ଆଉ ଦେଖିବାକୁ ମିଳୁଛି ଭେଡ଼ା ସାରା ଠାଏ ଠାଏ ନଡ଼ା ଜଳୁଥିବାର ଦୃଶ୍ୟ। ମନେପଡିଗଲା ପଞ୍ଜାବ, ହରିୟାଣା ସମେତ ଉତ୍ତର ଭାରତରେ କ୍ଷେତ ନିଅଁା ଜଳିବାର ପରିଣତି । ନଭେମ୍ବର- ଡିସେମ୍ବର ମାସରେ ସେସବୁ ସ୍ଥାନରେ ବିଶେଷ କରି ଦିଲ୍ଲୀରେ ସୃଷ୍ଟି ହେଉଥିବା ବାୟୁ ପ୍ରଦୂଷଣର ଉତ୍କଟ ରୂପ; ଯେଉଁଥିରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ହଜାର ହଜାର ହେକ୍ଟର ଜମିରେ ନଡା ପୋଡାରୁ ବାହାରୁଥିବା ଧୂଅଁା । କାହିଁ ଏଠାରେ କୃଷିରେ କଳ କାଲିକୁ କାଳ ସାଜିବନି ତ ଆମ ପାଇଁ। ଦିଲ୍ଲୀ ପରି ଭୁବନେଶ୍ୱର, କଟକ ଆଜି ଆମର ବଡ ବଡ ସହର ନଡା ନିଅଁା, ଧୂଆଁରେ କବଳିତ ହେବନି ତ ଆଉ। ଯନ୍ତ୍ରୀକୃତ କୃଷି ନିଶ୍ଚିତ ରୂପେ ଏକ ବୈପ୍ଳବିକ ପରିବର୍ତ୍ତନ ା ଏଥିରେ ସମୟ ବଞ୍ଚୁଛି, ଲାଭ ବଢୁଛି ତଥା କମ ପରିଶ୍ରମ ପଡୁଛି। କିନ୍ତୁ ପ୍ରକାରାନ୍ତରେ ଏହା ଯେ ପରିବେଶ ପରିପନ୍ଥୀ ତାହା ଆମେ ଭଲ ଭାବେ ଜାଣିସାରିଲେଣି ା
ଆପଣ କହିପାରିବେ ଗଲା କିଛି ବର୍ଷ ମଧ୍ୟରେ ଧାନ ଅମଳରେ ଯାନ୍ତ୍ରିକ ସହାୟତାର ଧାରା ଚାଲି ଆସିଛି। ଏଥିରେ ନୂତନତ୍ୱ କ’ଣ ା ହଁ ଏହା ନିଶ୍ଚିତ ଯେ, କୃଷିରେ ବିବର୍ତ୍ତିତ ପଦ୍ଧତିର ପ୍ରୟୋଗ ସ୍ବାଗତଯୋଗ୍ୟ, କିନ୍ତୁ ସମସ୍ୟା ବଢାଉଛି କ୍ଷେତରେ ପଡି ରହୁଥିବା ଶସ୍ୟ ଅବଶିଷ୍ଟାଂଶ। କ୍ଷେତକୁ ପରବର୍ତ୍ତୀ ଫସଲ ନିମିତ୍ତ ପ୍ରସ୍ତୁତ କରିବା ପାଇଁ କୁଢ କୁଢ ନଡ଼ା ପାଳକୁ ନିଅଁା ଲଗେଇ ଦେବା ବ୍ୟତିରେକେ ଚାଷୀ ପାଖରେ ସହଜ ଓ ଶସ୍ତା ଉପାୟ ଆଉ କିଛି ନାହିଁ। କୃଷି କ୍ଷେତକୁ ନିଅଁା ଲଗାଇ ସଫା କରିବାର ପ୍ରକ୍ରିୟାଟା ମୋ ଜାଣିବାରେ ଆମ ରାଜ୍ୟର ପାରମ୍ପରିକ କୃଷି କାର୍ଯ୍ୟରେ ନ ଥିଲା। ନିଅଁା ଜାଳିବା ଦରକାର ବା କ’ଣ ଥିଲା। ଦା ସାହାଯ୍ୟରେ ହାତରେ ଧାନ କଟା ହେଉଥିଲା, ପୂରା ମୂଳରୁ ପୋଛିକି, କାରଣ ଛଣ ଭଲ ମିଳିବ। କିଛି ଖାଲ ବିଲରେ ପାଣି ଶୁଖୁ ନ ଥିଲେ ଚାଖଣ୍ଡେ ହାତେ ଛାଡି ଧାନ କଟାଯାଉଥିଲା। ପରବର୍ତ୍ତୀ ସମୟରେ ସେତକ ବି ରହୁ ନ ଥିଲା। ଗ୍ରାମୀଣ ଜାଳେଣି ଆବଶ୍ୟକତାକୁ ବହୁ ପରିମାଣରେ ମେଣ୍ଟାଉଥିଲା ନଡାମୂଳ। କିନ୍ତୁ ଧୀରେ ଧୀରେ ସାଧାରଣ ଜନତାର ଜୀବନଶୈଳୀରେ ସୁଧାର, ଆର୍ଥିକ ସ୍ବଚ୍ଛଳତା ଓ ବ୍ୟବହାରିକ ପରିବର୍ତ୍ତନ ସହିତ ତାଳଦେଇ କୃଷି କାର୍ଯ୍ୟ ମଧ୍ୟ ବଦଳିବାକୁ ଲାଗିଲା।
କୃଷି ଶ୍ରମିକଙ୍କ ଅଭାବ ଦେଖାଦେଲା। ଛଣ ଛପର ଘରର ସ୍ଥାନ କୋଠାଘର ନେଲା, ଗୃହପାଳିତ ଗୋରୁ ସଂଖ୍ୟା କମିଗଲା ଓ ସେମାନଙ୍କ ଖାଇବା ପାଇଁ ଛଣ ପାଳର ଆବଶ୍ୟକତା ରହିଲା ନାହିଁ। ଆଜିକାଲି ଅଧିକ ଅମଳକ୍ଷମ ତଥା କମ୍‌ ବାସୁମତି ଧାନ ଚାଷ ହେଉଥିବାରୁ ଏବଂ ସେହି ନଡାରେ ଅଧିକ ସିଲିକା ମାତ୍ରା ରହୁଥିବାରୁ ତାହା ଗୋଖାଦ୍ୟ ଉପଯୋଗୀ ହୋଇପାରୁନାହିଁ। ଛଣ କୁଟାର ପାରମ୍ପରିକ ଜାଳେଣି ବ୍ୟବସ୍ଥା ବନ୍ଦ ହୋଇଗଲା। ଏହାକୁ ତାଳଦେଇ କୃଷି କାର୍ଯ୍ୟରେ ଆଧୁନିକ ପଦ୍ଧତି, ଯନ୍ତ୍ରପାତି ଓ ମେଶିନ ଆଦି ଧସେଇ ପଶିଲେ। ତେଣୁ ଚାଷୀ କ୍ଷେତରୁ ନଡା କାହିଁକି ଆଣିବ।
ଧାନ ଅମଳ କରି ନଡା ଜାଳିଦେଲେ ଗଲା।ଧୂଅଁା ତ କୁଆଡେ ଚାଲିଯିବ, ପାଉଁଶ ତ ଜମିକୁ ଜୋର ଦେବ ା ସେ କାହିଁ ବୁଝିବ ବାୟୁ ପ୍ରଦୂଷଣର କାରଣ, ପରିଣାମ ା
ପ୍ରଚୁର ପରିମାଣରେ ନଡା ଜାଳିବା ଦ୍ୱାରା ସେଥିରୁ ଅତି ସୂକ୍ଷ୍ମ କଣିକା (ପିଏମ୨.୫ ଏବଂ ୧୦), ଅଙ୍ଗାରକାମ୍ଳ, ମିଥେନ, କାର୍ବନ ମନୋକ୍ସାଇଡ, ସଲଫର ଅକ୍‌ସାଇଡ, ନାଇଟ୍ରୋଜେନ ଅକ୍ସାଇଡ, ଭୋଲାଟାଇଲ ଅର୍ଗାନିକ କମ୍ପାଉଣ୍ଡ ଏବଂ କ୍ୟାନ୍‌ସର ସୃଷ୍ଟିକାରୀ ପଲିସାଇକ୍ଲିକ ଆରୋମାଟିକ ହାଇଡ୍ରୋକାର୍ବନ ବିଷାକ୍ତ ପ୍ରଦୂଷକଗୁଡ଼ିକ ନିର୍ଗତ ହୋଇଥାଏ । ଉତ୍ପତ୍ତି ସ୍ଥଳରୁ ଚାରିଆଡକୁ ବିସରିତ ହେବା ପରେ ଏଗୁଡିକର ଭୌତିକ ଓ ରାସାୟନିକ ପରିବର୍ତ୍ତନ ଘଟି ବାୟୁମଣ୍ଡଳରେ ସ୍ମଗର ଗୋଟେ ମୋଟା ଆସ୍ତରଣ ସୃଷ୍ଟି ହୋଇଯାଏ। ତାହା ମଣିଷ ସହିତ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଠାରେ ଅନେକ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରେ। ଖାଲି ସେତିକି ନୁହେଁ, ନଡ଼ା ଜାଳିବା ଦ୍ୱାରା ପ୍ରାୟ ୮୦ପ୍ରତିଶତ ପର୍ଯ୍ୟନ୍ତ ଯବକ୍ଷାରଜାନ, ୨୫ ପ୍ରତିଶତ ପର୍ଯ୍ୟନ୍ତ ଫସଫରସ, ୨୧ ପ୍ରତିଶତ ପର୍ଯ୍ୟନ୍ତ ପଟାସିୟମ ଏବଂ ୬୦ ପ୍ରତିଶତ ପର୍ଯ୍ୟନ୍ତ ସଲଫର ସହ ବହୁ ଅଂଶରେ ମାଟିର ଜୈବ ପଦାର୍ଥ ନଷ୍ଟ ହୋଇଥାଏ। ତତ୍‌ସହିତ ମୃତ୍ତିକାର ତାପମାତ୍ରା, ଆର୍ଦ୍ରତା ଓ ପିଏଚ୍‌ ମାତ୍ରା ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଥାଏ। ଭାରତୀୟ କୃଷି ଗବେଷଣା ସଂସ୍ଥା ଅନୁସାରେ ଭାରତରେ ବର୍ଷକୁ ସୃଷ୍ଟି ହେଉଥିବା ପ୍ରାୟ ୨୨ ନିୟୁତ ଟନ ଧାନନଡ଼ା ମଧ୍ୟରୁ ପାଖାପାଖି ୧୪ ନିୟୁତ ଟନ ନଡ଼ାକୁ କ୍ଷେତରେ ଜଳାଇ ଦିଆଯାଏ। ଏଥିରେ ଦୁଇ ପ୍ରମୁଖ କୃଷିପ୍ରଧାନ ରାଜ୍ୟ ପଞ୍ଜାବ ଓ ହରିୟାଣାର ପ୍ରାୟ ୫୦ ପ୍ରତିଶତରୁ ଅଧିକ ଅବଦାନ ରହିଆସିଛି। ଗବେଷଣାରୁ ଜଣାପଡ଼ିଛି ଯେ, ଏକ ଟନ ନଡ଼ା ଜଳିଲେ ସେଥିରୁ ପ୍ରାୟ ୨୦୦ କିଲୋଗ୍ରାମ ପାଉଁଶ, ୧୪୬୦ କିଲୋଗ୍ରାମ ଅଙ୍ଗାରକାମ୍ଳ, ୬୦ କିଗ୍ରା କାର୍ବନ ମନୋକ୍‌ସାଇଡ, ୨ କିଗ୍ରା ସଲଫର ଡାଇଅକ୍‌ସାଇଡ ଏବଂ ୩ କିଗ୍ରା ଭାସମାନ ସୂକ୍ଷ୍ମ କଣିକା(ଏସ.ପି.ଏମ.) ନିର୍ଗତ ହୋଇଥାଏ। ମୌସୁମୀ ବାୟୁ ଅପସରି ଯିବା ବେଳକୁ ତଥା ଶୀତର ଆଗମନରେ ଭାରତର ପାଣିପାଗ ଅବସ୍ଥା ଯଥା ତାପମାତ୍ରା ଓ ଚାପ, ଆପେକ୍ଷିକ ଆର୍ଦ୍ରତା, ପବନର ନିମ୍ନ ବେଗ, ପବନ ପ୍ରବାହର ଦିଗ ଇତ୍ୟାଦି କ୍ଷେତ ନିଆଁରୁ ନିର୍ଗତ ଧୂଆଁ ଧୂଳିକୁ ଅଧିକ ସମୟ ଧରି ରଖିବାରେ ସହାୟକ ହୋଇଥାନ୍ତି; ଯେଉଁଥିପାଇଁ ଅକ୍ଟୋବର-ନଭେମ୍ବର ମାସରେ ଦିଲ୍ଲୀର ପ୍ରଦୂଷଣ ମାତ୍ରାଧିକ ବଢ଼ିଯାଇଥାଏ। ଏହି ସମୟରେ ବାୟୁ ପ୍ରଦୂଷଣ ଯେ କେବଳ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ, ତା’ ନୁହେଁ ବରଂ ଏହାର ପ୍ରତିକୂଳ ପ୍ରଭାବ ପର୍ଯ୍ୟଟନ କ୍ଷେତ୍ର ଓ ଅର୍ଥନୈତିକ ସ୍ଥିତି ଉପରେ ପଡ଼ିଥାଏ। ଏକ ସର୍ଭେ ଅନୁଯାୟୀ ବିଗତ ବର୍ଷଗୁଡ଼ିକରେ ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀକୁ ପର୍ଯ୍ୟଟକଙ୍କ ଆଗମନରେ ୨୫ରୁ ୩୫ ପ୍ରତିଶତ ପର୍ଯ୍ୟନ୍ତ କମ ରହୁଛି। ଘନ କୁହୁଡ଼ି ଓ ସ୍ମଗ ପାଇଁ ଦୃଶ୍ୟମାନତା କମ୍‌ ରହୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହିତ ସେହି ଅବଧି ତକ ଦୁର୍ଘଟଣାପ୍ରବଣ ରହୁଛି।
ଏତେ ସବୁ ପରିବେଶୀୟ କୁପ୍ରଭାବ ସତ୍ତ୍ୱେ ଅଣପାରମ୍ପରିକ କୃଷିରେ ଯାନ୍ତ୍ରିକ ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି। ଏହାଦ୍ୱାରା ଯେଉଁ କୁଢ଼କୁଢ଼ ଧାନ ନଡ଼ା କୁଟା ଉତ୍ପନ୍ନ ହେଉଛି ତା’ର ଠିକ ପରିଚାଳନା ପାଇଁ କୃଷକଙ୍କୁ ନୂଆ ନୂଆ ପଦ୍ଧତି ସହିତ ପରିଚିତ କରାଇବା ସହ ଆର୍ଥିକ ପ୍ରୋତ୍ସାହନ ଦିଆଯିବା ନିହାତି ଜରୁରୀ। ଯଦିଓ ଜମିରେ ଯନ୍ତ୍ରୀକୃତ ଅମଳ ଦ୍ୱାରା ଜଳୁଥିବା ନଡ଼ା ପରିଚାଳନା ପାଇଁ କେତେ ଗୁଡିଏ ଭଲ ଉପାଅ ଅଛି, ତା’ର ସୁଫଳ କିନ୍ତୁ କୃଷକ ଉଠାଇ ପାରୁନାହାନ୍ତି। ଷ୍ଟ୍ର ବେଲର ବା ପାଳ ଗଣ୍ଠିଲି କରୁଥିବା ଯନ୍ତ୍ର ଏ ଦିଗରେ ଅତ୍ୟନ୍ତ ଉପାଦେୟ, ଯେଉଁଥିରେ ଘଣ୍ଟାକୁ ୧୨-୧୫ କୁଇଣ୍ଟାଲ ନଡ଼ା ବୋଡ଼ିଆ କରି ଉଠାଇ ନେଇହେବ। ଷ୍ଟ୍ର ଚୋପର କମ୍‌ ସ୍ପ୍ରେଡର ବା ନଡ଼ା ଗୁଣ୍ଡ କରି ବିଲରେ ବିଛେଇ ପାରୁଥିବା ଯନ୍ତ୍ର, ଯାହାର ବ୍ୟବହାର ଦ୍ୱାରା ପରବର୍ତ୍ତୀ ଫସଲ ଲଗାଇବାରେ କୌଣସି ଅସୁବିଧା ହୋଇ ନ ଥାଏ। ଭାରତୀୟ କୃଷି ଗବେଷଣା କେନ୍ଦ୍ର ଦ୍ୱାରା ବିକଶିତ କରାଯାଇଥିବା ‘ପୁଷା’ ନାମକ ଗୋଟେ ତରଳ ଔଷଧ, ଯେଉଁଥିରେ ନଡ଼ାକୁ ଶୀଘ୍ର ବିଘଟନ କରି ତାକୁ ଖତରେ ପରିଣତ କରାଯାଇଥାଏ। ବିନା ଧୂଆଁରେ ନଡ଼ାକୁ ପୋଡ଼ି ଜମି ସଫା କରିବା ପାଇଁ ଆବଦ୍ଧିତ ଜ୍ୱଳନ ଯନ୍ତ୍ର କିଲନ୍‌ର ବ୍ୟବହାର ମଧ୍ୟ ବିଶେଷ ଫଳପ୍ରଦ ହୋଇଥାଏ। ତେବେ କଥା ଉଠୁଛି ଏସବୁ ବୈକଳ୍ପିକ ବ୍ୟବସ୍ଥାର ବ୍ୟବହାରିକ ପ୍ରସାର ହୋଇପାରୁନାହିଁ କାହିଁକି। ଏହାର ଏକମାତ୍ର ତଥା ମୂଳକାରଣ ହେଉଛି ଜମିକୁ ନଡ଼ାମୁକ୍ତ କରିବା ପାଇଁ ଖର୍ଚ୍ଚ ବହନରେ ନାରାଜ କୃଷକ, ଯଦିଓ ଏହି ଖର୍ଚ୍ଚ ନଡ଼ାକୁ ଶିଳ୍ପଜାତ ପଦାର୍ଥ ପାଇଁ କଞ୍ଚାମାଲ ରୂପେ ବ୍ୟବହାର ଦ୍ୱାରା ଉଠାଯାଇପାରିବ। ଯେମିତି କି ଗୋରୁଙ୍କ ପାଇଁ ବିଛଣା, ଗୋଖାଦ୍ୟ, ପ୍ୟାକିଂ ପଦାର୍ଥ, ବାୟୋଗ୍ୟାସ ଜାଳେଣି, କାଗଜ ଶିଳ୍ପ, ପଟିଲିଶିଳ୍ପ, ଛତୁଚାଷ, ବାୟୋଥର୍ମାଲ ବିଦ୍ୟୁତ୍‌ କେନ୍ଦ୍ର ଇତ୍ୟାଦିରେ ନଡ଼ାର ପ୍ରଚୁର ବ୍ୟବହାର କରାଯାଇପାରିବ। ଜିଆଖତ ଓ ଅନ୍ୟାନ୍ୟ କମ୍ପୋଷ୍ଟ ପାଇଁ ଧାନନଡ଼ାକୁ ବହୁଳ ରୂପେ ବ୍ୟବହାର କରାଯାଇପାରିବ। ଫଳତଃ ଅମଳ ପରବର୍ତ୍ତୀ ଆବର୍ଜନାକୁ ଉପାର୍ଜନକାରୀ ପଦାର୍ଥ ରୂପେ ଉପଯୋଗ କରିପାରିଲେ ନଡ଼ାରେ ନିଆଁ ଲଗାଇ ନଷ୍ଟ କରିବାର ଅଭ୍ୟାସଗତ କାର୍ଯ୍ୟରୁ ବିରତ ମିଳିବା ସହିତ ପରିବେଶ ସ୍ବଚ୍ଛ ନିର୍ମଳ ରହିପାରିବ।
ବିଭାଗୀୟ ମୁଖ୍ୟ, ଭୂତତ୍ତ୍ୱ ବିଭାଗ,
ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର