Categories: ମେଟ୍ରୋ

ଯକୃତ ପତିରୋପଣ ୟୁନିଟ୍‌: ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପ୍ରସ୍ତୁତି ସାରିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୯ା୭(ବ୍ୟୁରୋ)- ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଯକୃତ ପ୍ରତିରୋପଣ ପାଇଁ ସମସ୍ତ ପ୍ରସ୍ତୁତି ସାରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ରାଜ୍ୟ ଔଷଧ ନିଗମ ସମ୍ମିଳନୀ କକ୍ଷରେ ଯକୃତ ପ୍ରତିରୋପଣ ସଂକ୍ରାନ୍ତରେ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଯକୃତ ପ୍ରତିରୋପଣ ନିମନ୍ତେ ତାଲିମପ୍ରାପ୍ତ ମାନବସମ୍ବଳ ଆସନ୍ତା ଏକମାସ ମଧ୍ୟରେ ବ୍ୟବସ୍ଥା ପାଇଁ କୁହାଯାଇଛି। ଏଥି ସହିତ ଆବଶ୍ୟକ ପଡୁଥିବା ମଡୁଲାର ଓଟି ଓ ଉପକରଣ ଆଦି ପ୍ରସ୍ତୁତ କରିବାଲାଗି ଦୁଇମାସ ସମୟ ଦିଆଯାଇଛି। ସମୀକ୍ଷା ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଯକୃତ ପ୍ରତିରୋପଣ ପାଇଁ ରାଜ୍ୟର ରୋଗୀମାନେ ଓଡ଼ିଶା ବାହାରେ ବ୍ୟାପକ ଖର୍ଚ୍ଚାନ୍ତ ହେଉଥିବାବେଳେ ଖୁବ୍‌ ଶୀଘ୍ର ସେମାନଙ୍କୁ ରାଜ୍ୟ ଭିତରେ ଏହି ସୁବିଧା ଯୋଗାଇ ଦିଆପାରିବ। ସୂଚନାଯୋଗ୍ୟ, ୨୦୧୨ ମସିହାରୁ ଏସ୍‌ସିବିରେ ଯକୃତ ପତିରୋପଣ ୟୁନିଟ୍‌ ଖୋଲିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ପୂର୍ଣ୍ଣାଙ୍ଗ ହୋଇପାରିନାହିଁ। ସେ ସମ୍ପର୍କରେ ବିଶଦ ଆଲୋଚନା କରାଯାଇ ଏ କ୍ଷେତ୍ରରେ ଦେଖା ଦେଇଥିବା ଅଭାବ ଅସୁବିଧାକୁ ଦୂର କରାଯିବା ସହିତ ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଯେଭଳି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସରିବ ତାହା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହି ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା, ନିଗମର ପରିଚାଳନା ନିର୍ଦ୍ଦେଶିକା ୟାମିନୀ ଷଡ଼ଙ୍ଗୀ, ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ବତନ୍ତ୍ର ସଚିବ ଶରତ ଚନ୍ଦ୍ର ମିଶ୍ର, ଏସ୍‌ସିବିର ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ମହାନ୍ତି, ଅଧ୍ୟକ୍ଷ ପ୍ରଫେସର ସି.ବି.କେ ମହାନ୍ତି, ବିଭାଗୀୟ ମୁଖ୍ୟ ପ୍ରଫେସର ଶରତ ଚନ୍ଦ୍ର ଜୟସିଂହଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ସେହିଭଳି କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର ଜିଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଜମି ସମସ୍ୟା ନେଇ ଆଲୋଚନା ହୋଇଥିଲା। ଏହିସବୁ ଜିଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ବା ସମ୍ପ୍ରସାରଣ ସହିତ ନୂତନ ସ୍ବାସ୍ଥ୍ୟ ଅନୁଷ୍ଠାନ ଖୋଲିବା ପାଇଁ ଜମିର ଯାହା ଆବଶ୍ୟକତା ରହିଛି ଓ ଯେଉଁ ଜମି ମିଳିଛି ତାହାକୁ ତୁରନ୍ତ ଦାଖଲକୁ ନେଇ କାର୍ଯ୍ୟ ଆରମ୍ଭ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ବିଭାଗୀୟ ସଚିବଙ୍କ ସମେତ ସମ୍ପୃକ୍ତ ଜିଲାର ଜିଲାପାଳ ଓ ଅନ୍ୟାନ୍ୟ ପଦାଧିକାରୀମାନେ ଯୋଗଦେଇଥିଲେ।