ମୋ ସରକାର: ଗାନ୍ଧୀରୁ ନବୀନ

ତୁଷାରକାନ୍ତ

ମହାତ୍ମା ଗାନ୍ଧୀ ଆମ ସମସ୍ତଙ୍କ ପାଇଁ ତିନୋଟି ଗୁରୁତ୍ୱପୂର୍ଣ୍ଣ କଥା କହିଯାଇଛନ୍ତି- ତାହା ହେଉଛି (୧) ପ୍ରକୃତି ସମସ୍ତଙ୍କ ଚଳିବା ପାଇଁ ଯଥେଷ୍ଟ ଦେଇଛି, ଲୋଭର ପରିପୂରଣ ପାଇଁ ନୁହେଁ, (୨) ଯୋଜନାଟିଏ କଲାବେଳେ ଲକ୍ଷ୍ୟ ରଖିଥିବ, ତାହାଦ୍ୱାରା ସମାଜର ସବୁଠାରୁ ତଳେ ଥିବା ଲୋକଟି କେତେ ମାତ୍ରାରେ ଉପକୃତ ହେଉଛି ଓ (୩) ତୁମ ପାଖକୁ ଯେଉଁ ଲୋକଟି କୌଣସି କାମ ପାଇଁ ଆସୁଛି, ସେ ତୁମ କାମର ବାଧକ ନୁହଁ, ତୁମ ନିୟୋଜନ ତାଙ୍କରି ପାଇଁ। ଏହି ତିନୋଟି କଥା ଯେଉଁମାନଙ୍କ ପାଇଁ ଅଭିପ୍ରେତ, ସେମାନେ ସେଗୁଡ଼ିକୁ କେତେ ମାତ୍ରାରେ ନିଜ ନିଜ କ୍ଷେତ୍ରରେ ପାଳନ କରୁଛନ୍ତି, ତାହା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଜଳବାୟୁ ପରିବର୍ତ୍ତନଜନିତ ପୃଥିବୀର ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟିହେବା ଅବସରରେ, ତାଙ୍କର ପ୍ରଥମ କଥାଟି ଆଜିର ଆବଶ୍ୟକତା ହୋଇପଡ଼ିଛି, କିନ୍ତୁ ନିଜ ଦେଶର ଅର୍ଥନୈତିକ ପ୍ରଗତି ପାଇଁ ପ୍ରତ୍ୟେକ ରାଷ୍ଟ୍ରମୁଖ୍ୟ କହୁଛନ୍ତି, ଅନ୍ୟମାନେ ସେ ଦିଗରେ ଆଗ୍ରହ ଦେଖାନ୍ତୁ।
ତାଙ୍କର ଦ୍ୱିତୀୟ କଥାକୁ ବିସ୍ତାରିତ ଭାବେ କହିଲେ ହେବ: ‘ମୁଁ ତୁମକୁ ଗୋଟିଏ ପରାମର୍ଶ ଦେଉଛି। ଯେତେବେଳେ ତୁମେ ସଂଶୟରେ ଅଛ ବା ନିଜ ଚିନ୍ତାରେ ଘାରି ହେଉଛ, ସେତେବେଳେ ଏହି ପରାମର୍ଶଟିକୁ ପ୍ରୟୋଗ କର। ତୁମେ ଦେଖିଥିବା ସବୁଠାରୁ ଗରିବ ଏବଂ ଅସହାୟ ଲୋକଟିର କଥା ମନେପକାଅ ଏବଂ ନିଜକୁ ନିଜେ ପଚାର ଯେ ତୁମେ ଯାହା କରିବାକୁ ଯାଉଛ, ତାହା ସେହି ଲୋକଟିର କୌଣସି ଉପକାରରେ ଲାଗିବ କି? ଏହା ତାକୁ ତା’ ନିଜ ଜୀବନ ଓ ଭାଗ୍ୟରେ ପରିବର୍ତ୍ତନ ଆଣିବାରେ ସହାୟକ ହେବ କି? ସେତେବେଳେ ତୁମର ସଂଶୟ ଓ ସ୍ବାର୍ଥଭାବନା ଆପେ ଆପେ ଦୂରେଇ ଯିବ।
ସେଇଟିକୁ ଗତ ସ୍ବାଧୀନତା ଦିବସ ପାଳନ ଅବସରରେ ଆମ ମୁଖ୍ୟମନ୍ତ୍ରୀ ଲୋକସେବାଭବନର ଅଂଶ ରୂପେ ନବନିର୍ମିତ ‘ଖାରବେଳ ଭବନ’ରେ ‘ପରଶମଣି’ ସ୍ବରୂପ ମାର୍ବଲ ଫଳକରେ ସ୍ଥାନିତ କରିଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା। ପରଶମଣି ଏପରି ଏକ ପଦାର୍ଥ, ଯାହା ସଂସ୍ପର୍ଶରେ ଆସିଲେ ପଥର ମଣି ବା ମାଣିକ୍ୟ ହୋଇଯିବ। ଅତଏବ ଗାନ୍ଧୀଙ୍କର ସେଇ ଅବ୍ୟର୍ଥ ଉପଦେଶକୁ ଯଦି ସବୁ ସରକାରୀ କର୍ମଚାରୀ ପାଳନ କରନ୍ତେ ତେବେ ସେମାନଙ୍କର ଅପୂର୍ବ ରୂପାନ୍ତର ସମ୍ଭବ ହୁଅନ୍ତା ଓ ଜନସେବାରେ ସେମାନେ ନିଜକୁ ଉତ୍ସର୍ଗ କରି ପାରନ୍ତେ।
ଗାନ୍ଧିଜୀଙ୍କ ଭାବନାରେ ଉଦ୍‌ବୁଦ୍ଧ ହୋଇ ଆମ ମୁଖ୍ୟମନ୍ତ୍ରୀ ଗତ ଗାନ୍ଧୀ ଜୟନ୍ତୀ ଦିବସରୁ ‘ମୋ ସରକାର’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ଖବରକାଗଜରେ ପ୍ରକାଶିତ ବିଜ୍ଞାପନରେ ଗାନ୍ଧିଜୀଙ୍କ କଥିତ ‘ମୋ ସରକାର’ ଓ ନବୀନଜୀଙ୍କ ସ୍ଥିରୀକୃତ ‘ମୋ ସରକାର’ ବାବଦରେ ଲେଖାମାନ ପ୍ରକାଶ ପାଇଛି। ଅବଶ୍ୟ, ଗାନ୍ଧିଜୀ ‘ମୋ ସରକାର’ ଭଳି ଶୀର୍ଷକ ଜରିଆରେ ଏପରି କହିଥିଲେ କି ନାହିଁ, ତାହା ଜଣାନାହିଁ। ଦୁଇଟି ଯାକର ଉପସ୍ଥାପନାର ଆବଶ୍ୟକତା ଅନୁଭୂତ ହେଉଥିବାରୁ ନିମ୍ନରେ ସେହି ଦୁଇଟି ପ୍ରଦତ୍ତ ହେଲା-
ଗାନ୍ଧିଜୀଙ୍କ ମୋ ସରକାର: ଯଦି ତୁମେ ଜଣେ ପୋଲିସ କର୍ମଚାରୀ, ତେବେ ତୁମେ ଲାଞ୍ଚଠାରୁ ଦୂରେଇ ରୁହ। ଗରିବ ଲୋକମାନଙ୍କୁ ଖରାପ ବ୍ୟବହାର ନ କରି ସେମାନଙ୍କ ପ୍ରତି ସହାନୁଭୂତିଶୀଳ ହେବା ପାଇଁ ସଂକଳ୍ପବଦ୍ଧ ହୁଅ। ତୁମେ ବୁଝିବା ଦରକାର ଯେ ତୁମେ ଲୋକମାନଙ୍କ ସେବକ, ସେମାନଙ୍କର ମାଲିକ ନୁହଁ। ସେମାନଙ୍କର ଅସୁବିଧା ସମୟରେ ସେମାନଙ୍କୁ ସାହାଯ୍ୟ କରିବା ତୁମର ନୈତିକ କର୍ତ୍ତବ୍ୟ। – ମହାତ୍ମା ଗାନ୍ଧୀ, ୧୯୧୬
ନବୀନଜୀଙ୍କ ମୋ ସରକାର: ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ, ଲୋକଙ୍କ ସେବା ଓ ସଶକ୍ତୀକରଣ ପାଇଁ ସୃଷ୍ଟି କରାଯାଇଛି। ପୋଲିସ ଥାନା, ଡାକ୍ତରଖାନା, ସରକାରୀ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଅଛି। ଲୋକମାନେ ହିଁ ଏହାର ପ୍ରକୃତ ମାଲିକ। ଏହିସବୁ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବା ସହ ବୃତ୍ତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉ। ଲୋକମାନେ ହେଉଛନ୍ତି ପ୍ରକୃତ ସରକାର ଏବଂ ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ ଲୋକଙ୍କ ପଇସାରେ ହିଁ ବେତନ ପାଉଛନ୍ତି।
ଏଠି ମନେପଡ଼ିଯାଉଛି ୨୦୦୫ ମସିହା ନିର୍ବାଚନ ପରର କଥାଟିଏ। ବିଜେଡି ଓ ଭାଜପାର ମିଳିତ ଶକ୍ତି ବିଧାନସଭା ନିର୍ବାଚନରେ ଜିତିବା ପରେ ମୋ ପାଖକୁ ନବୀନ ପଟ୍ଟନାୟକଙ୍କ କଣ୍ଠରୁ କମ୍ପ୍ୟୁଟରୀକୃତ ବାର୍ତ୍ତାଟିଏ ଆସିଥିଲା, ଯାହା ଶୁଦ୍ଧ ଓଡ଼ିଆ ଭାଷାରେ ହେଉଛି, ”ଆମକୁ ଜିତାଇଥିବାରୁ ଧନ୍ୟବାଦ। ଆପଣଙ୍କର କିଛି କହିବାର ଥିଲେ, ଏହା ପରର ‘ପିପ୍‌’ ଶବ୍ଦ ପରେ ଆପଣ କହିପାରନ୍ତି।“ ତା’ପରେ ବାର୍ତ୍ତା ସରିଯାଇଥିଲା, ‘ପିପ୍‌’ ଶବ୍ଦ ଶୁଭିଥିଲା ଓ ମୁଁ କହିଥିଲି, ‘ରାଜ୍ୟର କେତେକ ସମସ୍ୟା ଉପରେ ଆଲୋଚନା ଲାଗି ମୁଁ ଆପଣଙ୍କୁ ୫ ମିନିଟ୍‌ ପାଇଁ ଭେଟିବାକୁ ଚାହୁଁଛି।’ ସେଇଦିନୁ ଚାହିଁଛି ଓ ଏ ପର୍ଯ୍ୟନ୍ତ ଭେଟିବାର ସୁଯୋଗ ମିଳିନାହିଁ। ରାଜ୍ୟବାସୀଙ୍କ ସ୍ବାର୍ଥସମ୍ବଳିତ କିଛି ବିଷୟ ଉପରେ ୨୦୧୦ ଜୁନ୍‌ ମାସଠାରୁ ଏପର୍ଯ୍ୟନ୍ତ ପ୍ରାୟ ୨୦ଟି ଚିଠି ଉପରେ କାର୍ଯ୍ୟାନୁଷ୍ଠାନ ଛାଡ଼ନ୍ତୁ, ଅନୁରୋଧ ସତ୍ତ୍ୱେ ପ୍ରାପ୍ତିସ୍ବୀକାର ବି ମିଳିନାହିଁ।
ଆମ ଓଡ଼ିଆରେ ଢଗଟିଏ ଅଛି, ‘ବଡ଼ ବଡ଼ ଗଲେ ଫସର ଫାଟି, ସାନ ଆଇଲେ ବେସର ବାଟି’। ଯେଉଁଠି ଗାନ୍ଧିଜୀଙ୍କ ବାଣୀସମୂହ ଓ ‘ମୋ ସରକାର’ (ସତ୍ୟ ଉପରେ ଆଧାରିତ) ଫସରଫାଟି ଗଲା, ସେଠି ନବୀନଜୀଙ୍କ ‘ମୋ ସରକାର’ କିଛି ତଳସ୍ତରର ସରକାରୀ କର୍ମଚାରୀଙ୍କ ଦୁର୍ନୀତିଜନିତ ନିଲମ୍ବନ ବା ବରଖାସ୍ତରେ ଯେ ସୀମିତ ରହିବ, ତାହା କିଏ କହିବ? ସେମାନେ ସେହି ଦୁର୍ନୀତି ଯେଉଁମାନଙ୍କ ପାଇଁ କରି ଭାଗ ଦିଅନ୍ତି, ସେମାନଙ୍କୁ ଛୁଇଁବା ଅସମ୍ଭବ, କାରଣ ସେମାନେ ତ ଦଣ୍ଡ ପ୍ରଦାନକାରୀ। ତେବେ ଏ ଆରମ୍ଭ ଶୁଭଙ୍କର ହେଉ, ଏହା ହିଁ କାମନା।
ମୋ- ୮୮୯୫୮୫୭୩୧୮


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri