ମୋଷ୍ଟ ଓ୍ବାଣ୍ଟେଡ ପ୍ରଫୁଲ୍ଲଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ଏସ୍‌ଟିଏଫ୍‌

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ବେଆଇନ ପଥର ଉତ୍ତୋଳନ ଓ ଅସ୍ତ୍ରଶସ୍ତ୍ର କାରବାରରେ ଗିରଫ ଅଭିଯୁକ୍ତ ପ୍ରଫୁଲ୍ଲ କୁମାର ନାୟକ ଓରଫ ଟୁନାଙ୍କୁ ରିମାଣ୍ଡରେ ଆଣିବ ଏସଟିଏଫ। ଗତ ୧୦ ତାରିଖରେ ପ୍ରଫୁଲ ଏବଂ ସହଯୋଗୀ ଅବନୀକାନ୍ତ ସାମନ୍ତରାୟଙ୍କୁ ଏସ୍‌ଟିଏଫ୍‌ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ସହ ୪ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରିଥିଲା। ପ୍ରଫୁଲ୍ଲ୍ଲଙ୍କୁ ୪ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସଡିଜେଏମ ଶନିବାର ସ୍ବୀକୃତି ପ୍ରଦାନ କରିଛନ୍ତି। ସୋମବାର ପ୍ରଫୁଲ୍ଲଙ୍କୁ ଏସଟିଏଫ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ସୂଚନା ମିଳଛି। ସୂଚନା ମୁତାବକ, ଖୋର୍ଦ୍ଧା ଜିଲା ବେଆଇନ ଖଣି ଉତ୍ତୋଳନକୁ ନେଇ ତନାଘନା କରୁଛି ଏସ୍‌ଟିଏଫ୍‌। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ପାହାଡ ଓ ଜମି ଅଞ୍ଚଳରୁ ବେଆଇନ ପଥର ଉତ୍ତୋଳନ ନେଇ ଏସଟିଏଫ ଗତ ଜୁଲାଇ ୧ରେ ଏକ ମାମଲା (ନଂ. ୭/୧୯)ରୁଜୁ କରି ତଦନ୍ତ ଚଳାଇଥିଲା। ଏହି ମାଲାରେ ସମ୍ପୃକ୍ତ ଥିବା ୧୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପ୍ରଫୁଲ୍ଲ ବାହାର ରାଜ୍ୟରୁ ପିସ୍ତଲ ଆଣି ପୁରୀ, କଟକ, ଭଦ୍ରକ ଓ ଭୁବନେଶ୍ୱରରେ ଯୋଗାଉଥିଲା। ପ୍ରଫୁଲ୍ଲ ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ଖୋର୍ଦ୍ଧା ଥାନାରେ ୫ଟି ମାମଲା ରହିଥିବାବେଳେ ସେ ଫେରାର ରହିଥିଲା।