ମୋବାଇଲ ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାଶ, ୫ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୧୯।୧୨: ବରଗଡ଼ ଜିଲା ପାଇକମାଳସ୍ଥିତ ଏକ ମୋବାଇଲ ଦୋକାନରୁ ଗତ ୧୧ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଚୋରି ହୋଇଥିବା ୨୨ଟି ମୋବାଇଲ ପୋଲିସ ଜବତ କରିବା ସହିତ ଅନ୍ୟ ସମସ୍ତ ସାମଗ୍ରୀ ଉଦ୍ଧାର କରିଛି। ସେହିପରି ଚୋରିରେ ବ୍ୟବହୃତ ଏକ ଜାଇଲୋ କାର୍‌ ମଧ୍ୟ ଜବତ ହୋଇଛି। ଏହା ସହିତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ, ପାଇକମାଳ ଥାନା ଝୁନଗାଡିହି ଗ୍ରାମର ଲଲିତ ବରିହା, ପଦ୍ମପୁର ଥାନା ମହୁଲପାଲିର ଦିନେଶ ସାହୁ, ପଦ୍ମପୁର ଥାନାପଡ଼ାର ଗୋପାଳ ଯଶୱାନୀ, ଦେଉଲି ଗ୍ରାମର ଯୁଗଳ କିଶୋର ଭୋଇ ଏବଂ ଦର୍ବେକେଲା ଗ୍ରାମର ଭୁବନ ସାହୁ। ଗିରଫ ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ସେହିପରି ଏହି ଚୋରି ଘଟଣାରେ ଆଉ ୩ ନାବାଳକ ସମ୍ପୃକ୍ତ ଅଛନ୍ତି ଏବଂ ସେମାନଙ୍କୁ ଜୁଭେନାଇଲ କୋର୍ଟକୁ ପଠାଯିବ ବୋଲି ବୁଧବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଗତ ୧୧ ତାରିଖ ରାତିରେ ପରମାନନ୍ଦ ସୁନାଙ୍କ ଦୋକାନରୁ ଚୋରି ହୋଇଥିବା ନେଇ ସେ ଡୁଙ୍ଗୁରିପାଲି ଗ୍ରାମର ପାଇକମାଳ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପାଇକମାଳ ଥାନାଧିକାରୀ ବିଶ୍ୱଜିତ୍‌ ମନବୋଧଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଏହାର ତଦନ୍ତ କରିଥିଲା।