Categories: ବାଣିଜ୍ୟ

ମୋବାଇଲ ଟାରିଫ ବଢାଇବେ ଭୋଡାଫୋନ-ଆଇଡିଆ,ଏୟାରଟେଲ

ନୂଆଦିଲ୍ଲୀ,୧୯-୧୧: ଡିସେମ୍ବର ୧ରୁ ଭୋଡାଫୋନ-ଆଇଡିଆ ଏବଂ ଏୟାରଟେଲ ଭଳି କମ୍ପାନୀ ସେମାନଙ୍କ ସର୍ଭିସ ରେଟ୍‌ ବଢାଇବା ନେଇ ସୂଚନା ଦେଇଛନ୍ତି। ଏହି କମ୍ପାନୀଗୁଡିକ ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ଟାରିଫରେ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଭଳି ସ୍ଥିତିରେ ଗ୍ରାହକଙ୍କୁ ବିଶ୍ୱସ୍ତରୀୟ ଡିଜିଟାଲ ଏକ୍ସପେରିଏନ୍ସ ଯୋଗାଣ ଧାରା ଜାରି ରହିବ ବୋଲି ଭୋଡାଫୋନ-ଆଇଡିଆ କହିଛନ୍ତି। କେଉଁ ବର୍ଗରେ କେତେ ପରିମାଣର ଟାରିଫ ବୃଦ୍ଧି ହେବ ସେ ନେଇ ଏହି କମ୍ପାନୀ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ। ନିକଟରେ ପ୍ରକାଶିତ ଦ୍ୱିତୀୟ ତ୍ରୈମାସ ଫଳାଫଳରେ ଭୋଡାଫୋନ-ଆଇଡିଆ ୫୦,୯୨୧ କୋଟି ଟଙ୍କା କ୍ଷତି ସହିଛନ୍ତି। ଆଡଜଷ୍ଟେଟ ଗ୍ରସ ରେଭେନ୍ୟୁ ବାବଦ ଦେୟ ପ୍ରଦାନ ନେଇ ରହିଥିବା ନିୟମ ପାଳନକୁ ଆଧାରରେ କମ୍ପାନୀଗୁଡିକର କ୍ଷତି ବଢିଥିବା ସେମାନେ କହିଛନ୍ତି। ଟେଲିକମ୍‌ ବିଭାଗ ଦାବି କରିଥିବା ଅର୍ଥ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ପ୍ରମୁଖ ଟେଲିକମ୍‌ କମ୍ପାନୀଗୁଡିକୁ କହିଛନ୍ତି। ସରକାରଙ୍କ ସହାୟତା ନ ମିଳିଲେ ବ୍ୟବସାୟ ଜାରି ରଖିବା କଷ୍ଟକର ବୋଲି ଭୋଡାଫୋନ-ଆଇଡିଆ କହିଛନ୍ତି। ଟେଲିକମ୍‌ କମ୍ପାନୀଗୁଡିକର ସମସ୍ୟା ସମାଧାନ ଲାଗି କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସଚିବ କମିଟି ଗଠନ ହୋଇଛି। ଅଂଶୀଦାରଙ୍କଠାରୁ ମତାମତ ଗ୍ରହଣ କରିବା ପରେ ଏନେଇ ସରକାର କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ସୁଚନା ରହିଛି। ସୂଚନା ଯୋଗ୍ୟ ବର୍ତ୍ତମାନ ଭୋଡାଫୋନ ଏବଂ ଆଇଡିଆ ନିକଟରେ ୩୦୦ ନିୟୁତ ଗ୍ରାହକ ଅଛନ୍ତି।

Share