ମୋଦି-୨ ସରକାର

ଆକାର ପଟେଲ
ନରେନ୍ଦ୍ର ମୋଦିଙ୍କ ଭବ୍ୟ ଶପଥଗ୍ରହଣ ଉତ୍ସବର ଖବର ସହ ଗଣମାଧ୍ୟମରେ ଅର୍ଥନୀତି ସମ୍ପର୍କିତ ଦୁଇଟି ଖବର ପ୍ରକାଶ ପାଇଛି। ପ୍ରଥମଟି ହେଉଛି ଭାରତର ଅର୍ଥନୈତିକ ଅଭିବୃଦ୍ଧି ୬ ପ୍ରତିଶତ ତଳକୁ ଖସିଯାଇଛି ଯାହା ଗତ ପାଞ୍ଚବର୍ଷ ଭିତରେ ସର୍ବନିମ୍ନ ଏବଂ ବେକାରି ସମସ୍ୟା ୬ ପ୍ରତିଶତରୁ ଅଧିକ ବୃଦ୍ଧିପାଇଛି। ଦ୍ୱିତୀୟ ଖବରଟି ହେଉଛି ନୂଆ ସରକାର ୧୦୦ ଦିନ ଭିତରେ ଦେଶର ଶ୍ରମ ଆଇନରେ ପରିବର୍ତ୍ତନ କରିବେ, ଯାହାଦ୍ୱାରା କମ୍ପାନୀଗୁଡ଼ିକ ବିନା ବାଧାରେ କର୍ମଚାରୀମାନଙ୍କୁ ଛଟେଇ କରିପାରିବେ। ପୁଣି ସିଙ୍ଗୁରରେ ଟାଟା କମ୍ପାନୀ ଜମି ଅଧିଗ୍ରହଣ କଲାବେଳେ ଯେମିତି ବିଦ୍ରୋହର ସମ୍ମୁଖୀନ ହୋଇଥିଲା, ସେପରି ବିଦ୍ରୋହ ବିନା କମ୍ପାନୀଗୁଡ଼ିକ ଯେପରି ବିପୁଳ ପରିମାଣର ଜମି ଅଧିଗ୍ରହଣ କରିପାରିବେ ସେପରି ଆଇନ କରାଯିବ। ନିବେଶକ ବିଶେଷତଃ ବିଦେଶୀ ନିବେଶକମାନଙ୍କୁ ଖୁସି କରିବା ଲାଗି ଆଇନରେ ସଂସ୍କାର ଅଣାଯିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଏଥର ଭାରତୀୟ ଜନତା ପାର୍ଟି (ଭାଜପା) ବିପୁଳ ସଂଖ୍ୟାରେ ଜନସମର୍ଥନ ପାଇଥିବାରୁ ଆଇନରେ ଶୀଘ୍ର ବଡ଼ ବଡ଼ ସଂସ୍କାର ଆଣିବା ଲାଗି କୌଣସି ସମସ୍ୟା ଉପୁଜିବ ନାହିଁ। କିନ୍ତୁ ଏହାକୁ ବିରୋଧୀ ଦଳ ତଥା ଶ୍ରମିକ ସଂଗଠନଗୁଡ଼ିକ ନିଶ୍ଚିତ ଭାବେ ବିରୋଧ କରିବେ। ଅତୀତରେ ସେମାନେ ଏଭଳି ସଂସ୍କାରକୁ ବିରୋଧ କରି ସଂସ୍କାର ଆଣିବାକୁ ଦେଇ ନ ଥିଲେ। କିନ୍ତୁ ମୋଦି ବିପୁଳ ସଂଖ୍ୟାରେ ଜିତିଥିବାରୁ ଏବଂ ଭାରତୀୟ ରାଜନୀତି ଉପରେ ତାଙ୍କର ପୂର୍ଣ୍ଣ ନିୟନ୍ତ୍ରଣ ରହିଥିବାରୁ ଏଭଳି ସଂସ୍କାର ଆଣିବାରେ ତାଙ୍କୁ କେହି ରୋକିପାରିବେ ନାହିଁ।
ଏବେ ଦେଖିବା ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍‌ କମିଟିରେ କେଉଁମାନେ ଅଛନ୍ତି। ସେମାନେ ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କ ସହ ଅର୍ଥମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ବିଦେଶ ବ୍ୟାପାର ମନ୍ତ୍ରୀ। ଜୟଶଙ୍କରଙ୍କୁ ବିଦେଶ ମନ୍ତ୍ରୀ ଭାବେ ବଛାଯିବା ମୋ ପାଇଁ କୌତୂହଳଜନକ ଓ ଅସ୍ବାଭାବିକ କାରଣ ସେ ଜଣେ ବୁଦ୍ଧିଜୀବୀ (ସେ ପିଏଚ୍‌ଡି କରିଛନ୍ତି ଏବଂ ଏକ ବିଶିଷ୍ଟ ବୁଦ୍ଧିଜୀବୀ ପରିବାରରୁ ଆସିଛନ୍ତି)। ପାକିସ୍ତାନ ପରି ପ୍ରସଙ୍ଗରେ ଭାଜପାର ଭାବପ୍ରବଣ ଆଭିମୁଖ୍ୟକୁ ନେଇ ତାଙ୍କୁ ନିଜକୁ ବଦଳାଇବାକୁ ପଡ଼ିବ। ଅର୍ଥମନ୍ତ୍ରଣାଳୟରେ ନିର୍ମଳା ସୀତାରାମନ ଆଉ ଏକ ପଦୋନ୍ନତି ପାଇଛନ୍ତି। ଗତ ଲୋକ ସଭାରେ ଆଶ୍ଚର୍ଯ୍ୟଜନକଭାବେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀର ଦାୟିତ୍ୱ ଦିଆଯାଇଥିଲା ଏବଂ ବର୍ତ୍ତମାନ ସେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ପଦବୀ ପାଇଛନ୍ତି। ତାଙ୍କର ଲୋ ପ୍ରୋଫାଇଲ ଏବଂ ଶାନ୍ତ ସ୍ବଭାବ ନିଶ୍ଚିତ ଭାବେ ତାଙ୍କୁ ଉନ୍ନତିରେ ସାହାଯ୍ୟ କରିଛି। ରାଜନାଥ ସିଂଙ୍କୁ ସ୍ବରାଷ୍ଟ୍ରରୁ ଆଣି ଅପେକ୍ଷାକୃତ କମ୍‌ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ବିଭାଗ ଦିଆଗଲା। ଏହି ତିନୋଟି ବିଭାଗ ଯଥା ବହିର୍ବ୍ୟାପାର, ଅର୍ଥ ଓ ପ୍ରତିରକ୍ଷା ବିଭାଗ ପ୍ରତି ମୋଦିଙ୍କର ସବୁଠାରୁ ବେଶି ଆଗ୍ରହ ଥାଏ ଏବଂ ଏଗୁଡ଼ିକୁ ସେ ନିଜେ ବ୍ୟକ୍ତିଗତ ଭାବେ ଚଳାଇବାକୁ ଚେଷ୍ଟା କରନ୍ତି। ତାଙ୍କ କାମ କରିବାର ଶୈଳୀ ଭିତରେ ଅଛି ସର୍ଜିକାଲ ଷ୍ଟ୍ରାଇକ୍‌, ବାଲାକୋଟ ଆକ୍ରମଣ, ବିଭିନ୍ନ ଦେଶକୁ ବାରମ୍ବାର ଯାତ୍ରା ଏବଂ ଜି ଜିନ୍‌ପିଙ୍ଗ ଓ ବେନ୍‌ୟାମିନ୍‌ ନେତାନ୍ୟାହୁଙ୍କ ପରି ଲୋକଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ରଖିବା।
ମୋଦିଙ୍କ ଶାସନରେ ଅର୍ଥ ମନ୍ତ୍ରଣାଳୟରେ ଯେଭଳି ନୀତିଗତ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଥିଲା, ୨୦୧୪ରୁ ଆଜିଯାଏ ସେଭଳି କିଛି ପରିବର୍ତ୍ତନ ହୋଇନାହିଁ। ଏ ବିଷୟରେ ଅତୀତରେ ମୋଦିଙ୍କୁ ଯେତେବେଳେ ପଚରାଯାଇଥିଲା, ସେ କହିଥିଲେ ଯେ ଭାରତରେ ବୃହତ୍‌ ଆର୍ଥିକ ସଂସ୍କାର କରାଯାଇସାରିଛି ଏବଂ ବର୍ତ୍ତମାନ ନୀତିଗତ ପରିବର୍ତ୍ତନ ଅପେକ୍ଷା ଅଧିକ ସୁଶାସନ ବା ସୁପରିଚାଳନାର ଆବଶ୍ୟକତା ଅଛି। ବର୍ତ୍ତମାନ ଶ୍ରମ ଓ ଜମି ଅଧିଗ୍ରହଣ ଆଇନରେ ଯେଉଁ ପରିବର୍ତ୍ତନ ପାଇଁ ଯୋଜନା କରାଯାଇଛି ସେ ପ୍ରକ୍ରିୟା ଯେପରି ସୁସମ୍ପନ୍ନ ହୁଏ ତାହା ସେ ପର୍ଯ୍ୟବେକ୍ଷଣ କରିବେ।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଅମିତ ଶାହ ମୋଦିଙ୍କ ପାଇଁ ସେଇଆ କରିବେ, ଯାହା ସେ ଗୁଜରାଟରେ କରିଥିଲେ। ଗୁଜରାଟରେ ଶାହ ପ୍ରାୟ ଏକ ଦଶନ୍ଧି ଧରି ଗୃହ ରାଷ୍ଟ୍ରମନ୍ତ୍ରୀ ଥିଲେ (ତାଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳି ନ ଥିଲା) ଏବଂ ତାଙ୍କୁ ମୋଦିଙ୍କୁ ରିପୋର୍ଟ କରିବାକୁ ପଡ଼ୁଥିଲା। ବର୍ତ୍ତମାନ ସରକାରରେ ସେ ସ୍ବାଭାବିକ ଭାବେ ଦୁଇ ନମ୍ବର ସ୍ଥାନରେ ରହିଛନ୍ତି। ବର୍ତ୍ତମାନ ତାଙ୍କୁ ୫୪ ପୂରି ୫୫ ବର୍ଷ ଚାଲିଛି ଏବଂ ଆସନ୍ତା ୫ ବର୍ଷରେ ତାଙ୍କର ପୁନଶ୍ଚ ଉତ୍ଥାନ ଘଟି ମୋଦିଙ୍କ ପରେ ସେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଭାଜପାର ଶକ୍ତିବୃଦ୍ଧି ଲାଗି ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପଶ୍ଚିମବଙ୍ଗ ପରି ଜଟିଳ ରାଜ୍ୟରେ ଦଳର ପ୍ରସାର ଘଟାଇବା ସହ ୨୦୧୪ରେ ଭାଜପା ପାଇଥିବା ସଂଖ୍ୟାଠାରୁ ଏଥର ଆହୁରି ଅଧିକ ପାଇବା ଲାଗି ଶାହଙ୍କ ରଣକୌଶଳ ଦାୟୀ। ପୂର୍ବ ଅଧ୍ୟକ୍ଷଙ୍କ ତୁଳନାରେ ସେ ଭାଜପାର ଜଣେ ଭିନ୍ନ ଓ ଅଧିକ ସଫଳ ଅଧ୍ୟକ୍ଷଭାବେ ନିଜକୁ ପ୍ରମାଣ କରିପାରିଛନ୍ତି। ସେ ଆର୍‌ଏସ୍‌ଏସ୍‌ ଉପରେ ଭାଜପାର ନିର୍ଭରଶୀଳତା ହ୍ରାସ କରିବା ସହ ଦଳର ସଦସ୍ୟ ସଂଖ୍ୟା ଓ ପାଣ୍ଠି ସଂଗ୍ରହ ଯଥେଷ୍ଟ ବୃଦ୍ଧି କରିବାରେ ସଫଳ ହୋଇଛନ୍ତି।
ଭାଜପାରେ ଜଣେ ଲୋକକୁ ଗୋଟିଏ ପଦବୀ ନିୟମ କିଛିକାଳ ହେଲା ବଳବତ୍ତର ରହିଛି। ବେଳେବେଳେ ଏହାକୁ ଉପେକ୍ଷା କରାଯାଏ କିନ୍ତୁ ଶାହଙ୍କ ପରି ମେଧାବୀ ବ୍ୟକ୍ତିତ୍ୱଙ୍କ ପକ୍ଷରେ ମଧ୍ୟ ନିଶ୍ଚିତଭାବେ ଏପରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦଭାର ସମ୍ଭାଳିବା ସମ୍ଭବ ନୁହେଁ। ତେଣୁ ତାଙ୍କୁ ଦଳର ଅଧ୍ୟକ୍ଷ ପଦ ଛାଡ଼ିବାକୁ ହେଲା। ବର୍ତ୍ତମାନ ଉକ୍ତ ଚାରି ମନ୍ତ୍ରୀଙ୍କ ସହ ଦଳର ନୂତନ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀଙ୍କ ଉପରେ କେବଳ ଦଳ ଓ ସରକାରର ଭବିଷ୍ୟତ ନିର୍ଭର କରୁନାହିଁ ବରଂ ଦେଶର ଭବିଷ୍ୟତ ମଧ୍ୟ ତାଙ୍କ ଉପରେ ନିର୍ଭରଶୀଳ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri