Categories: ବାଣିଜ୍ୟ

ମୋଦିଙ୍କୁ ବ୍ୟାଙ୍କ ସଂଘର ଚିଠି;ଜେଟକୁ ଅଧିଗ୍ରହଣ କରନ୍ତୁ ସରକାର

ମୁମ୍ବାଇ,୨୦-୪: ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ପରେ ଶୁକ୍ରବାର ବ୍ୟାଙ୍କ ସଂଘଗୁଡ଼ିକ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଜେଟ୍‌ର ୨୨ ହଜାର କର୍ମଚାରୀଙ୍କ ଭବିଷ୍ୟତର ସୁରକ୍ଷା ଲାଗି କେନ୍ଦ୍ର ସରକାର ଜେଟ୍‌ ଏୟାରଓ୍ବେଜକୁ ହାତକୁ ନିଅନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି।  ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୟିଜ ଆସୋସିଏଶନ ପକ୍ଷରୁ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଯେ, ଜେଟ୍‌କୁ ଋଣ ଦେବା ଲାଗି ବ୍ୟାଙ୍କଗୁଡ଼ିକ ଉପରେ ଚାପ ପକା ନ ଯାଉ। ଜେଟ୍‌କୁ ହସ୍ତାନ୍ତର ପାଇଁ ବ୍ୟାଙ୍କଗୁଡ଼ିକ ପକ୍ଷରୁ ବିଡ଼୍‌ ଆହ୍ବାନ କରାଯାଇଛି। ଏହା ସଫଳ ନ ହେଲେ ସରକାର କମ୍ପାନୀକୁ ନିଜ ହାତକୁ ନେଇ ଯାଆନ୍ତୁ। ସେହିପରି ବ୍ୟାଙ୍କଗୁଡ଼ିକୁ ଋଣ ପ୍ରଦାନ ପାଇଁ ବାଧ୍ୟ କରାଯାଉଥିବାରୁ ସେମାନେ ଏହାକୁ ବିରୋଧ କରିଛନ୍ତି। ପତ୍ରରେ କୁହାଯାଇଛି ଯେ, ନରେଶ ଗୋୟଲ ଏବେ ମଧ୍ୟ ୫୧ ପ୍ରତିଶତ ଅଂଶଧନ ସହ ପ୍ରମୋଟର ରହିଛନ୍ତି। ଏହା ତାଙ୍କର ମୁଣ୍ଡବ୍ୟଥା ହେବା କଥା। ସେ କମ୍ପାନୀ ଚଳାଇବେ କି ଏହାକୁ ବିକି ଦେବେ ସେ ହିଁ ଠିକ୍‌ କରିବା ଉଚିତ୍‌ ବୋଲି ସଂଘ ଦର୍ଶାଇଛି। ଗୋୟଲଙ୍କୁ ବିଦା କରି କମ୍ପାନୀକୁ ରକ୍ଷା କରିବା ଲାଗି ବ୍ୟାଙ୍କଗୁଡ଼ିକ ଉପରେ ଋଣ ପ୍ରଦାନ ପାଇଁ ଚାପ ପକାଯାଉଛି। ବାସ୍ତବରେ ସଙ୍କଟ ଲାଗି ସେ ହିଁ ଉତ୍ତରଦାୟୀ ହେବା ଉଚିତ୍‌ ବୋଲି ସଂଘ କହିଛି। ଏଣୁ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ ଏବଂ ବ୍ୟାଙ୍କଗୁଡ଼ିକ ଉପରେ ଚାପ ନ ପକାଇବାକୁ ସଂଘ ଦାବି କରିଛି।

Share