Categories: ବାଣିଜ୍ୟ

ମେ’ରେ ଯାନ ବିକ୍ରି ୮୮% କମିଲା

ନୂଆଦିଲ୍ଲୀ,୧୨।୬ – ମେ ମାସରେ ଅଟୋମୋବାଇଲ କ୍ଷେତ୍ରରେ ରିଟେଲ ବିକ୍ରି ୮୮.୮୭% ହ୍ରାସ ଘଟିଥିବା ଜଣାପଡିଛି। ଏହି ସମୟ ମଧ୍ୟରେ ପାସେଞ୍ଚର ଯାନ ବିକ୍ରି ୮୬.୯୭% କମିଥିବା ବେଳେ ଦୁଇଚକିଆ ଯାନ ବିକ୍ରି ୮୮.୮୦% ଖସିଛି। କରୋନା ଭାଇରସ ଲକ୍‌ଡାଉନ ପାଇଁ ଏପ୍ରିଲରେ ଯାନ ବିକ୍ରି ଠପ୍‌ ରହିଥିଲା। ଚଳିତ ବର୍ଷ ମେ ମାସରେ ମୋଟ ୨.୦୨ ଲକ୍ଷ ଯାନ ବିକ୍ରି ହୋଇଛି। ଏହା ଗତ ବର୍ଷ ସମାନ ସମୟରେ ୧୮.୨୧ ଲକ୍ଷ ୟୁନିଟ ରହିଥିଲା। ସେହିଭଳି ୩୦,୭୪୯ ୟୁନିଟ ଯାତ୍ରୀବାହୀ ଯାନ ମେ ମାସରେ ବିକ୍ରି ହୋଇଛି, ଯାହା ୨୦୧୯ ମେ ମାସରେ ୨.୩୫ ଲକ୍ଷ ୟୁନିଟ ରହିଥିଲା। ଗତ ବର୍ଷ ମେ ମାସରେ ୧୩.୧୯ ଲକ୍ଷ ୟୁନିଟ ୨ ଚକିଆ ଯାନ ବିକ୍ରି ହୋଇଥିଲା ଯାହା ଚଳିତ ବର୍ଷ ସମାନ ମାସରେ ୧.୫୯ ଲକ୍ଷ ୟୁନିଟକୁ ଖସି ଆସିଛି।
ସେହିଭଳି ବାଣିଜି୍ୟକ ଯାନ ବିକ୍ରି ୯୬.୬୩% ଖସି ୨,୭୧୧ ୟୁନିଟ ରହିଛି। ଯାହା ଗତ ବର୍ଷ ମେ ମାସରେ ୮୦,୩୯୨ ୟୁନିଟ ରହିଥିଲା। ଏହାବାଦ ୩ ଚକିଆ ଯାନ ବିକ୍ରି ୯୬.୩୪% ଖସି ୧୮୮୧ ୟୁନିଟକୁ ଖସି ଆସିଛି। ଗତ ବର୍ଷ ମେ ମାସରେ ୫୧,୪୩୦ ୟୁନିଟ ରହିଥିଲା। ଲକଡାଉନ ଧୀରେ ଧୀରେ କୋହଳ ହେଉଛି। ପ୍ରଥମ ଥର ଲାଗି ୪୦ ଦିନରୁ ଊର୍ଦ୍ଧ୍ୱ ସମୟ ବନ୍ଦ ରହିବା ପରେ ଅଟୋମୋବାଇଲ ଡିଲରଶିପଗୁଡିକ ଖୋଲୁଛି। ସାରା ଦେଶରେ ରହିଥିବା ମୋଟ ୨୬,୫୦୦ ଆଉଟଲେଟ ମଧ୍ୟରୁ ୬୦% ଶୋ’ରୁମ୍‌ ଏବଂ ୮୦% ଓ୍ବାର୍କଶପ ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଛି। ମେ ମାସର ଯାନ ପଞ୍ଜୀକରଣକୁ ଦେଖିଲେ ଏହା ଆଖିଦୃଶିଆ ନୁହେଁ। ବଜାରରେ ଚାହିଦା ଖସିଥିବା ବେଳେ ଆଗାମୀ ଦିନରେ ଏହି ଧାରା ଲାଗି ରହିବ ବୋଲି ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ (ଫାଡା) ପକ୍ଷରୁ ସୂଚନା ରହିଛି।
ସଂଘର ସଭାପତି ଆଶିଷ ହର୍ସରାଜ କାଲେ କହିଛନ୍ତି, ଯାନ ବିକ୍ରି ହ୍ରାସ ଧାରା ଜାରି ରହିବା ନେଇ ଆକଳନ କରାଯାଇଛି।

Share