ମେରାମଣ୍ଡଳୀ ଅଞ୍ଚଳରେ ବିଦ୍ୟୁତ୍‌ ବିଭ୍ରାଟ: ଜରୁରୀ ସେବା ବାଧାପ୍ରାପ୍ତ, ତାତିଲେ ଜନତା

ଢେଙ୍କାନାଳ ଅଫିସ, ୩ା୭ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ମେରାମଣ୍ଡଳୀ ସବ୍‌ଷ୍ଟେଶନ ଅଞ୍ଚଳରେ ବିଦ୍ୟୁତ୍‌ ବିଭ୍ରାଟ ସୀମା ଟପିଲାଣି। ବାରମ୍ବାର ବିଦ୍ୟୁତ୍‌ କାଟ୍‌ ଯୋଗୁ ଜରୁରୀ ସେବା ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଭାଗୀୟ ଅଧିକାରୀ, ସ୍ଥାନୀୟ ପ୍ରଶାସନ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେଉ ନ ଥିବାରୁ ଉପଭୋକ୍ତାମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି।
ତାଳଚେର ଚାଇଁପାଳସ୍ଥିତ ପାଓ୍ବାର ଗ୍ରୀଡ୍‌ରୁ ବଅଁରପାଳ ଦେଇ ମେରାମଣ୍ଡଳୀ ସବ୍‌ଷ୍ଟେଶନକୁ ବିଦ୍ୟୁତ୍‌ ଯୋଗାଣ ହେଉଛି। ଏହି ସବ୍‌ଷ୍ଟେଶନ ଅଧୀନରେ କମଳାଙ୍ଗ, ମଙ୍ଗଳପୁର, କୁଶୁପଙ୍ଗା, ଖଡଗ୍‌ପ୍ରସାଦ, ମୋଟଙ୍ଗା, ବିଡୋ, ଶିବପୁର, ଗାଲପଡା, କନ୍ତିମିଲି, କଡଲା, ପାଇକ ପୁରୁଣାକୋଟ, ନୂଆଗାଁ, ସଞ୍ଜପଡା ଆଦି ୧୩ ପଞ୍ଚାୟତର ଉପଭୋକ୍ତା ରହିଛନ୍ତି। ଲଗାତର ବିଦ୍ୟୁତ୍‌କାଟ ଯୋଗୁ ପାନୀୟ ଜଳଯୋଗାଣ, ଡାକ୍ତରଖାନା, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ, ଥାନାରେ ଜରୁରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।
ଅଞ୍ଚଳରେ ହାତୀ ଉପଦ୍ରବ ସାଙ୍ଗକୁ ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ ବିଭ୍ରାଟ ସମସ୍ୟାକୁ ବହୁଗୁଣିତ କରିଦେଇଛି। ଏହାର ପ୍ରତିବାଦରେ ମଙ୍ଗଳବାର ଅଞ୍ଚଳବାସୀ ମେରାମଣ୍ଡଳୀ ସବ୍‌ଷ୍ଟେଶନରେ ପ୍ରତିବାଦ କରିଥିଲେ। କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତ ଥିବା ଜାଣିବା ପରେ ସେମାନେ ମୋଟଙ୍ଗା ଥାନା ଘେରାଉ କରିଥିଲେ। ଥାନାଧିକାରୀ ନମିତା ନାୟକଙ୍କ ଉପସ୍ଥିତିରେ କନିଷ୍ଠ ଯନ୍ତ୍ରୀଙ୍କୁ ଡକାଯାଇ ଏ ନେଇ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ ଏନ୍‌ଜେନ୍‌, ସେସୁ ଅଧିକାରୀଙ୍କ ସମେତ ମୋଟଙ୍ଗା, କଣ୍ଟାବଣିଆ ଥାନାଧିକାରୀଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି ା