Categories: ବାଣିଜ୍ୟ

ମେମୁ ହେବ ପୂର୍ବତଟ ରେଳପଥର ପାସେଞ୍ଜର ଟ୍ରେନ

ଭୁବନେଶ୍ୱର,୨୩-୬: ଖୋର୍ଦ୍ଧା ରୋଡଠାରେ ଥିବା ମେମୁ ସେଡ୍‌ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣକୁ ରେଲଓ୍ବେ ବୋର୍ଡ ପକ୍ଷରୁ ଅନୁମୋଦନ ମିଳିଛି। ଏହା ଦ୍ୱାରା ପୂର୍ବତଟ ରେଳପଥର ସମସ୍ତ ପାସେଞ୍ଜର ଟ୍ରେନକୁ ଆଗାମୀ ୨ ବର୍ଷ ମଧ୍ୟରେ ମେମୁ ଟ୍ରେନରେ ରୂପାନ୍ତରିତ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମେମୁ ସେଡ୍‌ର ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଲେ ଟ୍ରେନଗୁଡିକୁ ଧିରେ ଧିରେ ମେମୁରେ ରୂପାନ୍ତରିତ କରିବା ସୁବିଧା ହେବ। ଟ୍ରେନ ଚଳାଚଳରେ ସମୟାନୁବର୍ତ୍ତିତା ଆଣିବା ଲାଗି ରେଲଓ୍ବେ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ରେଳଓ୍ବେ ବୋର୍ଡ ରୋଲିଙ୍ଗ ଷ୍ଟକ ସଦସ୍ୟ ରାଜେଶ ଅଗ୍ରଓ୍ବାଲ ପୂର୍ବତଟ ରେଳପଥର ବିଭିନ୍ନ କାର୍ଯ୍ୟ ଶନିବାର ସମୀକ୍ଷା କରିବା ପରେ ଏହି ଘୋଷଣା କରିଛନ୍ତି। ଫନୀରେ ପ୍ରଭାବିତ ଏବଂ କ୍ଷତିଗ୍ରସ୍ତ ହୋଇଥିବା ରେଳ ଭିତ୍ତିଭୂମି, ରେଳ ସେବାକୁ ସମୀକ୍ଷା ସେ କରିଥିଲେ। ସେବା ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରିତ କରିଥିବାରୁ ପୂର୍ବତଟ ରେଳପଥକୁ ଅଗ୍ରଓ୍ବାଲ ପ୍ରଶଂସା କରିଥିଲେ।
ପଣ୍ୟ ପରିବହନରେ ରେଳପଥକୁ ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇଥିବାରୁ ସମସ୍ତ ସଦସ୍ୟଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ୩ ମାସରେ ଭୁବନେଶ୍ୱର ଏବଂ ପୁରୀଠାରେ ମେକାନାଇଜଡ ଲଣ୍ଡ୍ରି ସ୍ଥାପନ, ଯାତ୍ରୀବାହୀ ଟ୍ରେନଗୁଡିକରେ ପାଣିର ଅଭାବ ଦୂରୀକରଣ, ଶିଳ୍ପସଂସ୍ଥାଗୁଡିକର ମାଲ ପରିବହନ ଚାହିଦା ପୂରଣ ଲାଗି ଅଧିକ ଓ୍ବାଗନ ଉପଲବ୍ଧ କରାଇବାକୁ ଯୋଜନା ରହିଥିବା ସେ ବୈଠକରେ ସୂଚନା ଦେଇଛନ୍ତି। ଏହା ଦ୍ୱାରା ପାଓ୍ବାର ପ୍ଲାଣ୍ଟ ଏବଂ କୋଇଲ ଉତ୍ପାଦନକାରୀ ସଂସ୍ଥାଗୁଡିକ ଲାଭବାନ ହୋଇ ପାରିବେ। ସେହିଭଳି ବାୟୋଟଏଲେଟ ଟ୍ରେନ ଶୌଚାଳୟଗୁଡିକରେ ବ୍ୟବହାର ହେଉଥିବା ଭେନଚୁରୀ ପ୍ରଣାଳୀକୁ ପୂର୍ବତଟ ରେଳପଥର ସବୁ ଟ୍ରେନରେ ଚଳାଚଳକରିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି।
ଫନୀ ପ୍ରଭାବିତ ପୁରୀ ରେଳଷ୍ଟେସନକୁ ଆସନ୍ତା ମାସ ସୁଦ୍ଧା ସମ୍ପୂର୍ଣ୍ଣ ପୁନରୁଦ୍ଧାର କରାଯିବାକୁ ପୂର୍ବତଟ ପକ୍ଷରୁ ଯୋଜନା ଧାର୍ଯ୍ୟ ହୋଇଛି। ରଥଯାତ୍ର ସମୟରେ ୧୪୯ ସ୍ବତନ୍ତ୍ର ଟ୍ରେନ ଚଳାଚଳ ନେଇ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ପୂର୍ବତଟ ରେଳପଥରେ ସଂରକ୍ଷତି କୋଚ୍‌ ସଂଖ୍ୟା ବୃଦ୍ଧି, ଅଟୋମୋବାଇଲ ଡିଲରଙ୍କ ସୁବିଧା ଲାଗି ପରିବହନ ବ୍ୟବସ୍ଥା, ମଞ୍ଚେଶ୍ୱର ରେଳ ଡବା କାରଖାନାରେ ଏଲଏଚବି କୋଚଗୁଡିକର ମରାମତି କାର୍ଯ୍ୟ ତ୍ୱରାନ୍ବିତ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଅଗ୍ରଓ୍ବାଲ କହିଛନ୍ତି। ଫନୀ ଦ୍ୱାରା ପୂର୍ବତଟ ରେଳପଥ ୬୦୦ କୋଟି ଟଙ୍କାର କ୍ଷତି ସହିଛି। ଏହା ମଧ୍ୟରେ ଭିତ୍ତିଭୂମି ବାବଦ ୪୦୦ କୋଟି ଏବଂ ଆୟ ବାବଦରେ ୨୦୦ କୋଟି ଟଙ୍କା କ୍ଷତି ସାମିଲ ରହିଛି। ପୁନରୁଦ୍ଧାର କାର୍ଯ୍ୟ ଲାଗି ସ୍ବତନ୍ତ୍ର ଆର୍ଥତ୍କ ସହାୟତା ପ୍ରଦାନ କରିବାକୁ ରେଳପଥ ପକ୍ଷରୁ ରେଲଓ୍ବେ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି।

Share