Categories: ଫୁରସତ

ମେଦବୃଦ୍ଧି ସମସ୍ୟା ଦୂର କରେ ଥଣ୍ଡା କ୍ଷୀର

କ୍ଷୀର ଆମ ଶରୀର ପାଇଁ କେତେ ଉପକାରୀ, ତାହା ସମସ୍ତଙ୍କୁ ଜଣା। ବିଶେଷକରି ଉଷୁମ କ୍ଷୀର ପିଇବାକୁ ସମସ୍ତେ ଭଲପାଆନ୍ତି। ହେଲେ ଶୁଣି ଆଶ୍ଚର୍ଯ୍ୟ ହେବେ ଉଷୁମ କ୍ଷୀର ଅପେକ୍ଷା ଥଣ୍ଡା କ୍ଷୀର ସ୍ବାସ୍ଥ୍ୟ ପାଇଁ ବିଶେଷ ଲାଭଦାୟକ। ଥଣ୍ଡା କ୍ଷୀର ନା କେବଳ ପାଟିକୁ ସ୍ବାଦିଷ୍ଟ ଲାଗେ ବରଂ ଏସିଡିଟି, ମେଦବୃଦ୍ଧି ଆଦି ସମସ୍ୟାଠାରୁ ଦୂରେଇ ରଖିବାରେ ସାହାଯ୍ୟ କରେ। ଥଣ୍ଡା କ୍ଷୀର ସେବନ କରିବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିବା ସହ କୋଲେଷ୍ଟୋରଲ୍‌ସ୍ତର ହ୍ରାସ ପାଇଥାଏ। ଯଦ୍ଦ୍ବାରା ମେଦବୃଦ୍ଧି ସମସ୍ୟାର ଭୟ ନଥାଏ। ତେବେ ଏହି ଥଣ୍ଡା କ୍ଷୀରକୁ ଦିନରେ ପିଇବା ସବୁଠୁ ଭଲ। ଏହି କ୍ଷୀର ଏସିଡିଟି ସମସ୍ୟାରୁ ଆରାମ ଦେଇଥାଏ। ଯଦି ପେଟରେ ଅଲସର ହୋଇଥାଏ, ତେବେ ଥଣ୍ଡା କ୍ଷୀରକୁ ଢକ ଢକ କରି ନ ପିଇ ଧୀରେ ଧୀରେ ପିଇଲେ ଏଥିରୁ ଉପଶମ ମିଳିଥାଏ। କେବଳ ସେତିକି ନୁହେଁ, ଖାଇବା ପରେ ଯଦି ବାରମ୍ବାର ଭୋକ ଲାଗୁଥାଏ ତେବେ ଥଣ୍ଡା କ୍ଷୀର ପିଇଲେ ଏହି ସମସ୍ୟା ଦୂରେଇ ଯାଏ। ଚାହଁିଲେ ଥଣ୍ଡା କ୍ଷୀରରେ ଓଟ୍ସ ମିଶାଇ ଖାଇପାରିବେ। ଖରାଦିନେ କ୍ଷୀରରେ ତିଆରି କୋଲ୍ଡ କଫି ପିଇଲେ ଶରୀରକୁ ତାଜା ଅନୁଭୂତ ହୋଇଥାଏ। କ୍ଷୀରରେ ବଦହଜମୀ ବା ଗ୍ୟାସ୍‌ ସମସ୍ୟା ଦୂର କରିବାର ଗୁଣ ଭରିରହିଛି। ଯାହା ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ। ଏହାକୁ ସେବନ କଲେ ଘିଅ କିମ୍ବା ତେଲ ମସଲା ଜାତୀୟ ଖାଦ୍ୟ ପଦାର୍ଥ ସହଜରେ ହଜମ ହୋଇଯାଏ। ତେବେ ଏଥିରେ ସାମାନ୍ୟ ଅଦା ଛେଚା ପକାଇ ପିଇଲେ ଅଧିକ କାମ ଦେଇଥାଏ। ଜିମ୍‌ରୁ ଏକ୍ସର୍‌ସାଇଜ୍‌ ସାରି ଆସିବା ପରେ ଏନର୍ଜି ଡ୍ରିଙ୍କ୍‌ କିମ୍ବା ଜୁସ୍‌ ପିଇବା ସ୍ଥାନରେ ଯଦି ଥଣ୍ଡା କ୍ଷୀରକୁ ସ୍ଥାନିତ କରାଯାଏ, ତେବେ ଏହା ମାଂସପେଶୀକୁ ସୁଦୃଢ଼ ରଖିଥାଏ। ଶରୀରକୁ ପ୍ରୋଟିନ୍‌ ଏବଂ ଶକ୍ତି ପ୍ରଦାନ କରିଥାଏ।

Share