ମେଡିସିନ ରିପ୍ରେଜେଣ୍ଟେଟିଭ୍‌ଙ୍କୁ ଦଲାଲ ଆଖ୍ୟାର ପ୍ରତିବାଦ: ଓସ୍ରୁର ବିକ୍ଷୋଭ, ଶୋଭାଯାତ୍ରା

ବ୍ରହ୍ମପୁର ଅଫିସ,୨ା୧୦-ଓଡ଼ିଶା ସେଲ୍‌ସ ରିପ୍ରେଜେଣ୍ଟେଟିଭ୍‌ ୟୁନିୟନ (ଓସ୍ରୁ) ବ୍ରହ୍ମପୁର ଶାଖା ପକ୍ଷରୁ ମଙ୍ଗଳବାର ଶୋଭାଯାତ୍ରା ଏବଂ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଫିସ ଆଗରେ ବିକ୍ଷୋଭ କରାଯାଇଥିଲା। ସରକାରୀ ଡ଼ାକ୍ତରଖାନା ଗୁଡିକରେ ମେଡିସିନ ରିପ୍ରେଜେଣ୍ଟେଟିଭ୍‌ମାନଙ୍କ ପ୍ରବେଶ ଉପରେ କଟକଣା ଏବଂ ସେମାନଙ୍କୁ ଦଲାଲ ଆଖ୍ୟା ଦିଆଯାଇଥିବା ପ୍ରତିବାଦରେ ଏହି ଆନ୍ଦୋଳନ ହୋଇଥିଲା। ଓସ୍ରୁ ସଭାପତି ଏ. ଭବାନୀ ଶଙ୍କର ମିଶ୍ର ଓ ସମ୍ପାଦକ ନୀଳଲୋହିତ ସାହୁ ଏହାର ନେତୃତ୍ୱ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବସ୍ତି ସୁନ୍ଦର ସିଅ, ସତ୍ୟବ୍ରତ କର୍ଣ୍ଣ, ରାଜ୍ୟ ସମ୍ପାଦକ ନୃସିଂହ ବ୍ରହ୍ମା, ଯୁଗ୍ମ ସାଧାରଣ ସମ୍ପାଦକ ବି.ଏନ୍‌. ସାହୁଙ୍କ ସମେତ ଶତାଧିକ ସଦସ୍ୟ ଏଥିରେ ସାମିଲ ହୋଇଥିଲେ।
ବିକ୍ଷୋଭ ସ୍ଥଳରେ ଅନୁଷ୍ଠିତ ସଭାରେ ସିଆଇଟିୟୁ ରାଜ୍ୟ ଉପସଭାପତି ଯୁଧିଷ୍ଠିର ବେହେରାଙ୍କ ସମେତ ବସନ୍ତ ନନ୍ଦ, ଶ୍ରମିକ ନେତା ପ୍ରତାପ ଚୌଧୁରୀ, ଅଶୋକ ଦାସ ଓ କିଶୋର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଓସ୍ରୁ ନେତାମାନେ କହିଥିଲେ, ସରକାରୀ ଓ ଘରୋଇ ହସ୍ପିଟାଲରେ ମେଡିସିନ ରିପ୍ରେଜେଣ୍ଟେଟିଭ୍‌ମାନେ କାମ କରିବା ପାଇଁ ଏବଂ ଔଷଧ ସମ୍ପର୍କରେ ଡ଼ାକ୍ତରଙ୍କ ସହ ଆଲୋଚନା କରିବା ଅଧିକାର ରହିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅଛି। ତେବେ ଗତ କିଛିଦିନ ହେବ ସେମାନଙ୍କୁ ଦଲାଲ କୁହାଯାଇ ହସ୍ପିଟାଲ ଭିତରକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଏହାକୁ ଅଗଣତାନ୍ତ୍ରିକ ଦର୍ଶାଇ କଟକଣା ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା। ରାଷ୍ଟ୍ରାୟତ୍ତ ଔଷଧ ଶିଳ୍ପର ପୁନରୁଦ୍ଧାର ଏବଂ ଅନ୍‌ଲାଇନ ଔଷଧ ବିକ୍ରି ବନ୍ଦ ସମେତ ଜନସ୍ବାର୍ଥ ସମ୍ବଳିତ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆରଡିସିଙ୍କୁ ସ୍ମାରକପତ୍ର ଦିଆଯାଇଥିଲା। ନ୍ୟାଯ୍ୟ ଦାବି ପୂରଣ କରା ନ ଗଲେ ଆଗାମୀ ଦିନରେ ଓସ୍ରୁ ପକ୍ଷରୁ ଆନ୍ଦୋଳନ ଜୋରଦାର କରିବାର ସ୍ମାରକପତ୍ରରେ ଦର୍ଶାଯାଇଛି।