Categories: ବାଣିଜ୍ୟ

ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ;୨୫ହଜାର କୋଟିର ଟେଣ୍ଡରରେ ସଂଶୋଧନ

ନୂଆଦିଲ୍ଲୀ,୫-୮: ଉଦ୍ୟୋଗ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପରିଚାଳନା ବିଭାଗ(ଡିପିଆଇଆଇଟି)ର ହସ୍ତକ୍ଷେପ ପରେ କେନ୍ଦ୍ର ସରକାର ଜାରି କରିଥିବା ୨୫ ହଜାର କୋଟି ଟଙ୍କାର ଟେଣ୍ଡରକୁ ରଦ୍ଦ କରିବା ପରେ ସଂଶୋଧନ କରି ପୁନର୍ବାର ଜାରି କରିଛନ୍ତି। ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ, ଡିପିଆଇଆଇଟିର ହସ୍ତକ୍ଷେପ ପରେ ୮ ହଜାର କୋଟି ଟଙ୍କାର ଏକ ଟେଣ୍ଡରକୁ ପ୍ରତ୍ୟାହାର କରାଯାଇଥିଲା। ଏହାର ସର୍ତ୍ତରେ ପରିବର୍ତ୍ତନ କରାଯିବା ପରେ ପୁନର୍ବାର ଏହାକୁ ଲାଗୁ କରାଯାଇଛି। ୟୁରିଆ ଓ ଆମୋନିଆ ଗ୍ୟାସିଫିକେଶନ ପ୍ଲାଣ୍ଟ ନିର୍ମାଣ ନେଇ ଟେଣ୍ଡର ଦିଆଯାଇଥିଲା। ସେହିଭଳି ଟ୍ରେନ ସେଟ୍‌ର କୋଚ୍‌ କିଣିବା ଲାଗି ଟେଣ୍ଡର ଦିଆଯାଇଥିଲା। ଏହାର ପରିମାଣ ୫ ହଜାର କୋଟି ଟଙ୍କାର ଥିଲା। ସେହିଭଳି ୮୧୩୫ କୋଟି ଟଙ୍କାର ୩x୮୦୦ ମେଗାଓ୍ବାଟ୍‌ର ବିଜୁଳି ପ୍ରକଳ୍ପ ଟେଣ୍ଡରକୁ ବଦଳାଯାଇଛି। ଟେଣ୍ଡର ବଦଳାଇବା ପୂର୍ବରୁ ଡିପିଆଇଆଇଟି ବିଭାଗ ପକ୍ଷରୁ ଇସ୍ପାତ, ରେଲଓ୍ବେ, ପ୍ରତିରକ୍ଷା, ତୈଳ ଓ ପ୍ରାକୃତିକ ବାଷ୍ପ,ଫାର୍ମାସ୍ୟୁଟିକାଲ୍ସ, ଇଲେକ୍ଟ୍ରୋନିକ୍ସ, ଟେଲିକମ୍‌, ଭାରି ଉଦ୍ୟୋଗ, ଟେକ୍ସଟାଇଲ ଓ ଜାହାଜ ଚଳାଚଳ ତଥା ବିଜୁଳି ବିଭାଗ ସହ ଆଲୋଚନା କରାଯାଇଥିଲା।

Share