ମୃତ ବ୍ୟକ୍ତିଙ୍କ ଜମି ବିକ୍ରି, ଲେଖାଳୀ ସମେତ ୩ ଗିରଫ

ଭଞ୍ଜନଗର,୧୨।୪(ଡି.ଏନ.ଏ)- ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ କୁପାଟି ଗ୍ରାମର ମୃତ ବାଞ୍ଛାନିଧି ବାଗ୍‌ଙ୍କ ଜମିଙ୍କୁ ସମ୍ପୃକ୍ତ ଗ୍ରାମର ହେମନ୍ତ ବାଗ୍‌ ନକଲି କାଗଜପତ୍ର ପ୍ରସ୍ତୁତ କରି ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କୁ ୨୦୧୬ରେ ବିକ୍ରି କରି ଦେଇଥିଲେ। ବାଞ୍ଛାନିଧିଙ୍କ ଝିଅ ଜାନକି ଦଳବେହେରା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ନଂ.୬୭।୨୦ ରେ ମାମଲା ରୁଜୁକରି ରବିବାର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଦସ୍ତାବିଜ୍‌ ଲେଖାଳୀ ଭଞ୍ଜନଗରର ଜଗନ୍ନାଥ ଦାସ, ନକଲି ବିକ୍ରେତା କୁପାଟିର ହେମନ୍ତ ବାଗ୍‌ ଓ ସାକ୍ଷୀ ହରିଗଡ଼ର କୃଷ୍ଣ ଚନ୍ଦ୍ର ପ୍ରଧାନ। ଏହି ମାମଲାରେ ଆହୁରି ଅନେକ ବ୍ୟକ୍ତି ଜଡ଼ିତ ଥିବା ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୂଚନା ଦେଇଛନ୍ତି। ପ୍ରକାଶ ଯେ, କୁପାଟିର ବାଚାଂନିଧି ବାଗ୍‌ ୧୯୯୭ ମସିହାରେ ମୃତ୍ୟୁବରଣ କରିଥିଲେ। ତାଙ୍କର ୯ଝିଅ। ସେ ବଡ଼ ଝିଅ ଜାନକିଙ୍କୁ କିଛି ଜମି ବଞ୍ଚତ୍ଥିବା ସମୟରେ ବିକ୍ରି କରିଥିଲେ। ଏହାପରେ ସ୍ତ୍ରୀ ଉର୍ମିଳା ୨୦୧୦ରେ ମୃତ୍ୟୁବରଣ କରିଥିଲେ। ଏହାପୂର୍ବରୁ ଉର୍ମିଳା ମଧ୍ୟ ଜାନକିଙ୍କୁ ଆଉ କିଛି ଜମି ବିକ୍ରି କରି ଦେଇଥିଲେ। ଏହିଭଳି ପରିସ୍ଥିତିରେ ୨୦୧୬ରେ ସମ୍ପୃକ୍ତ ଗ୍ରାମର ହେମନ୍ତ ବାଗ୍‌ ନିଜକୁ ବାଞ୍ଛାନିଧି ଦର୍ଶାଇ ଆବଶ୍ୟକ ନକଲି କାଗଜପତ୍ର ପ୍ରସ୍ତୁତ କରି ଭୁବନେଶ୍ୱରର ଶିବ ଶଙ୍କର ଅଗ୍ରୱାଲଙ୍କୁ ୮୦୪୦ ଡ଼େସିମିଲ ଜମି ବିକ୍ରି କରି ଦେଇଥିଲେ। ଦିର୍ଘବର୍ଷ ହେଲା ଜମି ପଟ୍ଟା ହେଉନଥିବା ଯୋଗୁ ଜାନକି ତହସିଲ ଅଫିସରେ ଆସି ଅଭିଯୋଗ କରିଥିଲେ। ଏହାପରେ ରାଜସ୍ବ ବିଭାଗ ୱେବ୍‌ସାଇଟ୍‌ରେ ରେକର୍ଡ଼ ଯାଞ୍ଚ କରିବା ବେଳକୁ ଭୁବନେଶ୍ୱରର ଶିବ ଶଙ୍କରଙ୍କ ନାମରେ ଜମି ରେକର୍ଡ଼ ଥିବା ଜଣାପଡଇଥିଲା। ଏହାପରେ ସବ୍‌ ରେଜିଷ୍ଟର ଅଫିସ୍‌ ରେକର୍ଡ଼ ଯାଞ୍ଚ କରିବା ପରେ ଯୋଜନାବଦ୍ଧ ଭାବେ ନକଲି କାଗଜପତ୍ର ପ୍ରସ୍ତୁତ କରି ଉକ୍ତ ଜମିକୁ ବିକ୍ରି କରି ଦିଆଯାଇଥିତ୍ବା ଜଣାପଡ଼ିଥିଲା। ତେଣୁ ଜାନକି ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ।