Categories: ଫୁରସତ

ମୂଷାଙ୍କ ଗାଁ ‘ମିନି ଭିଲେଜ’: ଅଛି ଛୋଟ ଛୋଟ ଘର, ଖାଦ୍ୟର ବ୍ୟବସ୍ଥା

ଗାଈ ଓ କୁକୁର ପାଇଁ ଘର ତିଆରି କଥା ଆମେ ଶୁଣିଛୁ। ହେଲେ ମୂଷା ପାଇଁ ଗୋଟିଏ ଗାଁ ତିଆରି କରିବା କଥା କେହି କେବେ ଶୁଣି ନ ଥିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ କଥାଟି ସତ।
ବ୍ରିଟେନର ବନ୍ୟଜନ୍ତୁ ସମ୍ପଦ ଫଟୋଗ୍ରାଫର୍‌ ସାଇମନ୍‌ ଡେଲ୍‌ ନିଜ ବଗିଚାରେ ମୂଷାଙ୍କ ପାଇଁ ଏକ ଗାଁ ତିଆରି କରିଛନ୍ତି। ଏହା ‘ମିନି ଭିଲେଜ’ ନାମରେ ପରିଚିତ। ଉକ୍ତ ଗାଁରେ ମୂଷାଙ୍କ ପାଇଁ ଛୋଟ ଛୋଟ ଘର ତିଆରି ହୋଇଛି। ଏହି ଘରକୁ କାଠି, ଫୁଲ ଏବଂ ସୁନ୍ଦର ସୁନ୍ଦର ପଥରରେ ତିଆରି କରାଯାଇଛି। ଏଠାରେ ମୂଷାଙ୍କ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ସେମାନଙ୍କ ପାଇଁ ସୁନ୍ଦର ଡାଇନିଂ ଟେବୁଲ୍‌ ଏବଂ ତା’ ଉପରେ ଖାଦ୍ୟର ବ୍ୟବସ୍ଥା ମଧ୍ୟ ହୋଇଛି।
ଡେଲ୍‌ କୁହନ୍ତି, ଏକଦା ସେ ବଗିଚା ସଫା କରୁଥିବା ବେଳେ ବହୁତ ମୂଷା ବୁଲୁଥିବା ଦେଖିବାକୁ ପାଇଥିଲେ। ସେମାନଙ୍କୁ ଖାଇବା ପାଇଁ ବିଲେଇ ସବୁବେଳେ ଜଗି ବସୁଥିବା ସେ ଜାଣିବାକୁ ପାଇଥିଲେ। ତେଣୁ ସେମାନଙ୍କ ପାଇଁ କିଛି କରିବାକୁ ତାଙ୍କର ଇଚ୍ଛା ହୋଇଥିଲା। ଶେଷରେ ସେ ଏଭଳି କିଛି ନିଆରା କାମ କରି ଦେଖାଇଛନ୍ତି।

Share