ମୂର୍ତ୍ତି ମନସ୍କ ଶିଶିର

ସାତମାଇଲ, ୧।୯ – ଶିଶିର କୁମାର ବେହେରା। ବୟସ ୨୫। ଘର ହିନ୍ଦୋଳ ବ୍ଲକ ଚିତ୍ତଳପୁର ପଞ୍ଚାୟତ ଅନ୍ତର୍ଗତ ପଞ୍ଚପଡ଼ା ଗ୍ରାମରେ। ମା’ ଆଉ ଜଣେ ଭାଇଙ୍କୁ ନେଇ ତାଙ୍କ ପରିବାର। ବାପା ଛୁଆବେଳୁ ଆରପାରିରେ। ପିଲାଦିନରୁ ଜୀବନ ସଂଘର୍ଷକୁ ଭଲଭାବେ ବୁଝିଥିବା ଶିଶିର ନିଜର ନିଆରା ମୂର୍ତ୍ତି ତିଆରି କୌଶଳ ପାଇଁ ଢେଙ୍କାନାଳ, ଅନୁଗୋଳ ଜିଲାରେ ବେଶ୍‌ ପରିଚିତ। ପାର୍ବଣ ଆସିଲେ ତାଙ୍କ ହାତତିଆରି ନିଖୁଣ ମୂର୍ତ୍ତି ନେବାକୁ ଅନାଇ ରହିଥାନ୍ତି ପ୍ରତିଷ୍ଠିତ ପୂଜା କମିଟି।
ପିଲାଟି ଦିନରୁ ଚିତ୍ରକଳା ପ୍ରତି ଥିବା ଆଗ୍ରହ ହିଁ ଶିଶିରଙ୍କୁ ମୂର୍ତ୍ତି ତିଆରି ପାଇଁ ପ୍ରେରିତ କରିଛି। ପରିବାର ସଦସ୍ୟ ଏବଂ ସାଙ୍ଗସାଥୀ ଏ ଦିଗରେ ବେଶ୍‌ ସହଯୋଗ କରିଛନ୍ତି। ହିନ୍ଦୋଳ ଉପଖଣ୍ଡର ଖ୍ୟାତିସମ୍ପନ୍ନ କାରିଗର ରବିନାରାୟଣ ବେହେରାଙ୍କୁ ଗୁରୁ ଭାବେ ଗ୍ରହଣ କରି ସେ ନିଜ କର୍ମପଥରେ ଆଗେଇ ଚାଲିଛନ୍ତି। ୧୩ବର୍ଷ ହେଲା ଗଣେଶ, ସରସ୍ବତୀ, ବିଶ୍ୱକର୍ମା, ଖୁଦୁରୁକୁଣୀ, ଦୁର୍ଗା, କାର୍ତ୍ତିକେଶ୍ୱରଙ୍କ ମୂର୍ତ୍ତି ଗଢୁଛନ୍ତି।
ନିଜ ବୃତ୍ତିଗତ ଜୀବନ ସମ୍ପର୍କରେ ସେ କୁହନ୍ତି, ଦିନକ ପରେ ଧରାବତରଣ କରିବେ ଗଜାନନ। ସେଥିପାଇଁ ତର ନାହିଁ। ରଙ୍ଗ କାମ ପ୍ରାୟତଃ ଶେଷ ହୋଇସାରିଥିବାବେଳେ ଗଣନାଥଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦିଆଯାଉଛି। ଚଳିତ ବର୍ଷ ୧୦୦ରୁ ଊର୍ଦ୍ଧ୍ୱ ମୂର୍ତ୍ତି ବରାଦ ରହିଛି। ସେଥିରୁ ଅଧିକାଂଶ ମୂର୍ତ୍ତିର ରଙ୍ଗକାମ ଶେଷ ହୋଇଛି। ବଳକା କାମ ନିର୍ଦ୍ଧାରିତ ସମୟରେ ସାରିବାକୁ ଖୁବ୍‌ ପରିଶ୍ରମ କରିବାକୁ ପଡୁଛି। ଖୁଦୁରୁକୁଣୀ ମୂର୍ତ୍ତି ଗଢ଼ାରେ ବ୍ୟସ୍ତଥିବାରୁ ଏଥର କାମ ବିଳମ୍ବିତ ହୋଇଥିବା ସେ କହିଛନ୍ତି। କାମରେ ହେଉଥିବା ଅସୁବିଧା ସମ୍ପର୍କରେ ଶିଶିର କୁହନ୍ତି, ମୂର୍ତ୍ତି ଗଢ଼ିବା ପାଇଁ ମାଟି ଏବେ ପ୍ରମୁଖ ସମସ୍ୟା ପାଲଟିଛି। ବିଭିନ୍ନ ସ୍ଥାନ ବୁଲି ବୁଲି ଭଲ ମାଟି ସଂଗ୍ରହ କରିବାକୁ ପଡୁଛି। ସେହିପରି ରଙ୍ଗ, ଅନ୍ୟାନ୍ୟ ସାଜସଜ୍ଜା ଉପକରଣ ଦରଦାମ ବଢ଼ିବାରେ ଲାଗିଛି। ଏସବୁକୁ ଦେଖିଲେ ଉପଯୁକ୍ତ ପାରିଶ୍ରମିକ ମିଳୁନି। ତଥାପି ମୂର୍ତ୍ତି ତିଆରି କରିବା ନିଶା ପାଲଟି ଯାଇଥିବାରୁ ଏହାକୁ ଛାଡ଼ିହେଉନି ବୋଲି ସେ ନିଜ ପ୍ରତିକ୍ରିୟା ରଖିଛନ୍ତି।