ମୁହାଣ ଅବରୋଧ:ଜୀବିକା ହରାଉଛନ୍ତି ମତ୍ସ୍ୟଜୀବୀ

ବାଲିଆପାଳ, ୧୧ା୯(ଡି.ଏନ.ଏ.)-କୌଣସି ନଦୀର ମୁହାଣକୁ ଅବରୋଧ କରାଯାଇପାରିବ ନାହିଁ। ଏହା ଆଇନତଃ ଦଣ୍ଡନୀୟ କାର୍ଯ୍ୟ। ଏପରି କି ମୁହାଣରେ ଜାଲ ବସାଇ ଜାଆଁଳ ଧରିବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ହେଲେ ବାଲେଶ୍ୱର ଜିଲାର ସୁବର୍ଣ୍ଣରେଖାର ହଂସକରା, ବାହାବଳପୁର ମୁହାଣକୁ ବେଆଇନ ଭାବେ ଅବରୋଧ କରାଯିବା ଯୋଗୁ ମତ୍ସ୍ୟଜୀବୀମାନେ ଜୀବିକା ହରାଇବା ଆଶଙ୍କା ଦେଖାଦେଇଛି। ଏହି ମୁହାଣ ଉପରେ ନିର୍ଭର କରି ମାଛ ଧରି ପରିବାର ପୋଷୁଥିବା ମତ୍ସ୍ୟଜୀବୀଙ୍କ ଭବିଷ୍ୟତ ଏବେ ଅନ୍ଧକାରମୟ ହୋଇପଡିଛି।
ସମୁଦ୍ରରେ ଜୁଆର ଆସିଲେ ସୁବର୍ଣ୍ଣରେଖା, ହଂସକରା, ବାହାବଳପୁର ଆଦି ମୁହାଣ ଦେଇ ସମୁଦ୍ରଜଳ ନଦୀ ମଧ୍ୟକୁ ଆସିଥାଏ। ଏଥିରେ ବିପୁଳ ପରିମାଣର ମାଛ, କଙ୍କଡା ଜାଆଁଳ ମୁହାଣକୁ ଆସିଥାନ୍ତି। ଏଥିସହ ମୁହାଣ ଦେଇ ନଦୀର ମଧୁରଜଳ ସମୁଦ୍ରରେ ମିଶିଥାଏ। ଏଥିଲାଗି ବର୍ଷାଋତୁ ଆରମ୍ଭରେ ପ୍ରଚୁର ପରିମାଣର ଇଲିଶି, ଚିଙ୍ଗୁଡି ଆଦି ମାଛ ଜାଆଁଳ ଦେବା ପାଇଁ ମୁହାଣକୁ ଆସିଥାନ୍ତି। କେତେକ ଚିଙ୍ଗୁଡି ଚାଷୀ ସ୍ଥାନୀୟ ଲୋକଙ୍କ ସହାୟତାରେ ମୁହାଣର ଉଭୟ ପାର୍ଶ୍ୱକୁ ଅବରୋଧ କରି ବିଭିନ୍ନ ଉପାୟରେ ଜାଆଁଳ ଧରି ନେଇଯାଉଛନ୍ତି। ଚିଙ୍ଗୁଡି ଚାଷର ଚାହିଦା ଅଧିକ ଥିବାରୁ ସେମାନେ ଏପରି କରୁଥିବା କୁହାଯାଉଛି। ସୁବର୍ଣ୍ଣରେଖା, ହଂସକରା, ବାହାବଳପୁର ଆଦି ମୁହାଣରୁ ଧରାଯାଉଥିବା ଚିଙ୍ଗୁଡି ଜାଆଁଳର ଆକାର ଏତେ ଛୋଟ ଯେ ସେସବୁକୁ ଧରିବା ପାଇଁ ସ୍ଥାନୀୟ ଲୋକମାନେ ମଶାରି ଜାଲ ବ୍ୟବହାର କରିଥାନ୍ତି ା ଏହି ମଶାରି ଜାଲରେ ଚିଙ୍ଗୁଡି ଜାଅଁାଳ ସମେତ ଇଲିଶି, ବେକଟି, ଖୁରାଣ୍ଟ, କୁଣ୍ଡଳ ଆଦି ମୂଲ୍ୟବାନ ମାଛର ଜାଆଁଳ ଓ କଙ୍କଡା ଜାଆଁଳ ବହୁ ସଂଖ୍ୟାରେ ପ୍ରତିଦିନ ଧରାପଡି ମରିଯାଉଥିବା ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି ା ସାଧାରଣତଃ ମାଛ, ଚିଙ୍ଗୁଡି ଓ କଙ୍କଡା ଗର୍ଭଧାରଣ ପରେ ପରେ ମୁହାଣ ବାଟେ ନଦୀର ମଧୁର ଜଳକୁ ଯାଇ ସେଠାରେ ଅଣ୍ଡା ଦେବା ପରେ ସମୁଦ୍ରକୁ ପୁଣି ଫେରିଯାଇଥାନ୍ତି। ଏସବୁ ମୁହାଣ ଅବରୋଧ ଯୋଗୁ ମାଛବଂଶ ହ୍ରାସ ପାଇବାରେ ଲାଗିଛି। ଫଳରେ ଯେଉଁ ମାଛ, କଙ୍କଡା ନଦୀ ମୁହାଣକୁ ଅଣ୍ଡାଦେବାକୁ ଯାଉଛନ୍ତି, ସେମାନେ ଆଉ ମୁହାଣରୁ ଫେରି ପାରୁନାହାନ୍ତି। ଏ ସମ୍ପର୍କରେ ସହକାରୀ ମତ୍ସ୍ୟ ଅଧିକାରୀ(ସାମୁଦ୍ରିକ) ପ୍ରକାଶ ଚନ୍ଦ୍ର ଗିରିଙ୍କୁ ଯୋଗାଯୋଗ କରାଯିବାରୁ ଏହାକୁ ରୋକିବା ଲାଗି ଆଇନକୁ କଡାକଡି କରାଯିବା ଆବଶ୍ୟକ ବୋଲି କହିଥିଲେ।