Categories: ଜାତୀୟ

ମୁଣ୍ଡ ନେଉଛି ମସ୍ତିଷ୍କ ଜ୍ୱର

ପାଟନା,୧୬ା୬(ପି.ଟି./ଆଇଏଏନ୍‌ଏସ୍‌): ବିହାରରେ ଘାତକ ସାଜିଛି ମସ୍ତିସ୍କଜ୍ୱର। ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ୍‌ (ଏଇଏସ୍‌) ଏବଂ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ (ଜେଇ) ରୋଗରେ ଆକ୍ରାନ୍ତ ହୋଇ ମୁଜାଫରପୁର ଜିଲାର ଦୁଇଟି ସରକାରୀ ହସ୍ପିଟାଲରେ ଶନିବାର ୧୨ ଚିକିତ୍ସାଧୀନ ଶିଶୁଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ଶିଶୁଙ୍କ ମୃତ୍ୟୁସଂଖ୍ୟା ୮୦ରେ ପହଞ୍ଚତ୍ଛି। ସ୍ଥିତି ଉଦ୍‌ବେଗଜନକ ଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ରବିବାର ଦୁଇ ହସ୍ପିଟାଲକୁ ପରିଦର୍ଶନରେ ଯିବେ।
ବିହାର ରାଜଧାନୀ ପାଟନାରୁ ୭୫ କି.ମି. ଦୂର ମୁଜାଫରପୁରସ୍ଥିତ ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ୍‌ ଆଣ୍ଡ ହସ୍ପିଟାଲ (ଏସ୍‌କେଏମ୍‌ସିଏଚ୍‌)ରେ ଅନୂନ ୫୮ ଏବଂ କେଜ୍‌ରିଓ୍ବାଲ ହସ୍ପିଟାଲରେ ୧୧ ଶିଶୁ ମସ୍ତିଷ୍କ ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସିଭିଲ ସର୍ଜନ ଡାକ୍ତର ଶୈଳେଶ ପ୍ରସାଦ ସିଂ ଶନିବାର ସୂଚନା ଦେଇଛନ୍ତି। ଜୁନ୍‌ ୧ରୁ ୧୭୮ ଶିଶୁ ଏସ୍‌କେଏମ୍‌ସିଏଚ୍‌ରେ ଏବଂ ୭୨ ଶିଶୁ କେଜ୍‌ରିଓ୍ବାଲ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମସ୍ତିଷ୍କଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ସରକାରୀ ସ୍ତରରେ ମୃତ୍ୟୁସଂଖ୍ୟା ୬୯ ବୋଲି ଘୋଷଣା କରାଯାଇଥିଲେ ହେଁ ପ୍ରକୃତରେ ୮୦ ଶିଶୁଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଆଉ କେତେଜଣ ଶିଶୁ ଗାଁରେ ପ୍ରାଣ ହରାଇବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବା ଦେଖିବାକୁ ମିଳିଛି।
ଶିଶୁଙ୍କ ମୃତ୍ୟୁର ମୁଖ୍ୟ କାରଣ ହେଉଛି ରକ୍ତରେ ଶର୍କରାର ମାତ୍ରା ଅତ୍ୟନ୍ତ ହ୍ରାସ ପାଇବା, ଯାହାକୁ ହାଇପୋଗ୍ଲାଇସିମିଆ ବୋଲି କୁହାଯାଉଛି। ସ୍ବାସ୍ଥ୍ୟସେବାରେ ଉନ୍ନତି ଅଣାଯାଇ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇଥିଲେ ଅନେକ ଶିଶୁ ମୃତ୍ୟୁମୁଖରୁ ବର୍ତ୍ତିଯାଇଥାନ୍ତେ ବୋଲି ମୃତକଙ୍କ ପରିବାର ଲୋକେ କହିଛନ୍ତି। ତେବେ ସ୍ଥିତି ଏତେ ସଙ୍ଗିନ ହେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ଏବଂ ବିଭାଗୀୟ ପ୍ରଧାନ ସଚିବ ସଞ୍ଜୟ କୁମାର ହସ୍ପିଟାଲ ପରିଦର୍ଶନ କରି ସତ ସ୍ବୀକାର କରିଛନ୍ତି। ସେହିପରି କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଶନିବାର ଶ୍ରୀକ୍ରିଷ୍ଣା ହସ୍ପିଟାଲ ପରିଦର୍ଶନ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ରବିବାର ଦୁଇ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବେ। ଏହାସହ ସେ ଏକ ରାଜ୍ୟସ୍ତରୀୟ ବୈଠକକୁ ସମ୍ବୋଧିତ କରିବେ। କେନ୍ଦ୍ର ସରକାର ସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେଉଥିବା ସେ ପ୍ରକାଶ କରିଛନ୍ତି।

Share