Categories: ବାଣିଜ୍ୟ

ମିଶିଯିବେ ବିଏସ୍‌ଏନ୍‌ଏଲ୍‌, ଏମ୍‌ଟିଏନ୍‌ଏଲ୍‌

ନୂଆଦିଲ୍ଲୀ,୨୪-୧୦: ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନଏଲର ପୁନରୁଦ୍ଧାର ଲାଗି କେନ୍ଦ୍ର କ୍ୟାବିନେଟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ବିଏସ୍‌ଏନ୍‌ଏଲ୍‌ ସହ ଏମ୍‌ଟିଏନ୍‌ଏଲ୍‌ର ମିଶ୍ରଣକୁ ନୀତିଗତ ମଞ୍ଜୁରୀ ମିଳିଛି। ଏହି ଦୁଇ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଲାଗି ୪ଜି ସ୍ପେକ୍ଟ୍ରମ ଆବଣ୍ଟନ କରାଯିବ। ଏହାବାଦ ସୋଭରେନ ଗ୍ୟାରେଣ୍ଟି ବଣ୍ଡ ଜରିଆରେ ଋଣ ପରିଶୋଧ, କର୍ମଚାରୀଙ୍କ ଖର୍ଚ୍ଚ କାଟ, ସମ୍ପତି ବିନିଯୋଗ ଦ୍ୱାରା ପାଣ୍ଠି ସଂଗ୍ରହ ଆଦି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। କ୍ୟାବିନେଟ ନିଷ୍ପତ୍ତି ମୁତାବକ ୨ କମ୍ପାନୀକୁ ୪ଜି ସ୍ପେକ୍ଟ୍ରମ ଆବଣ୍ଟନ କରାଯିବା ଫଳରେ ଏମାନେ ବ୍ରଡବ୍ୟାଣ୍ଡ ଏବଂ ଡାଟା ସେବା ପ୍ରଦାନ କରିପାରିବେ। ଏହି ସ୍ପେକ୍ଟ୍ରମ ପାଇଁ ସରକାର ପାଣ୍ଠି ଯୋଗାଇ ଦେବେ ବୋଲି ସୂଚନା ରହିଛି। ୨ କମ୍ପାନୀଙ୍କୁ ୨୦,୧୪୦ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯିବ। ସ୍ପେକ୍ଟ୍ରମ ମୂଲ୍ୟର ଜିଏସ୍‌ଟି ବାବଦ ଅର୍ଥ ୩,୬୭୪ କୋଟି ଟଙ୍କା ମଧ୍ୟ ସରକାର ବଜେଟରୁ ବ୍ୟୟ କରିବେ। ଏହ ିସ୍ପେକ୍ଟ୍ରମ ବ୍ୟବହାର ଦ୍ୱାରା ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ ୪ଜି ସେବା ଯୋଗାଣ ସହ ଅନ୍ୟ କମ୍ପାନୀମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ଗ୍ରାମାଞ୍ଚଳରେ ଏହି ଦୁଇ କମ୍ପାନୀର ଏକ ଉନ୍ନତ ନେଟୱର୍କ ନେଟଓ୍ବର୍କ ଥିବାରୁ ଦ୍ରୁତ ଡାଟା ସେବା ଯୋଗାଇ ଦେବାରେ ସେମାନେ ସଫଳ ହେବେ ବୋଲି ଆଶା କରାଯାଉଛି।
ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ ମଧ୍ୟ ଦୀର୍ଘକାଳୀନ ବଣ୍ଡ ଜରିଆରେ ୧୫ ହଜାର କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିବେ। ଏଥିପାଇଁ ସୋଭରେନ ଗ୍ୟାରେଣ୍ଟି ଭାରତ ସରକାର ଯୋଗାଇ ଦେବେ। ଏହି ଉତ୍ସରୁ ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ ସେମାନଙ୍କର ଋଣ ପରିଶୋଧ କରିବେ ତଥା କ୍ୟାପେକ୍ସ, ଓପେକ୍ସ ଓ ଅନ୍ୟାନ୍ୟ ଆବଶ୍ୟକତା ଆଂଶିକ ଭାବେ ପୂରଣ କରିବେ। ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ ଅତିକ୍ରମ କରିସାରିଥିବା ନିଜ କର୍ମଚାରୀଙ୍କୁ ଆକର୍ଷଣୀୟ ସ୍ବେଚ୍ଛାକୃତ ଅବସର (ଭିଆରଏସ) ପ୍ରସ୍ତାବ ଦେବ। କେନ୍ଦ୍ର ସରକାର ବଜେଟ ଅର୍ଥରୁ ଏହି ବ୍ୟୟଭାର ବହନ କରିବେ। ଭିଆର୍‌ଏସ୍‌ ପାଇଁ ଅନୁଗ୍ରହ ରାଶି ପାଇଁ ୧୭,୧୬୯ କୋଟି ଟଙ୍କା ଆବଶ୍ୟକ ହେବ ବୋଲି ଜଣା ପଡ଼ିଛି। ସେହିଭଳି ପେନସନ, ଗ୍ରାଚ୍ୟୁଇଟିି ଓ କମ୍ୟୁଟେଶନ ଖର୍ଚ୍ଚ ସରକାର ବହନ କରିବେ। ଋଣ ପରିଶୋଧ, ବଣ୍ଡ ସର୍ଭିସିଂ, ନେଟୱର୍କ ଅପଗ୍ରେଡେସନ ଓ ସମ୍ପ୍ରସାରଣ ଏବଂ ପରିଚାଳନା ଆବ୍ଯଯକତା ପୂରଣ କରିବା ଲାଗି ବିଏସ୍‌ଏନ୍‌ଏଲ ଏବଂ ଏମ୍‌ଟିଏନଏଲ ସେମାନଙ୍କ ସମ୍ପତି ବିନିଯୋଗ କରି ପାଣ୍ଠି ସଂଗ୍ରହ କରିବେ। ଦେଶର ଉପାନ୍ତ ଏବଂ ଗ୍ରାମାଞ୍ଚଳରେ ଥିବା ସେମାନଙ୍କ ବ୍ୟାପକ ଟେଲି କମ୍ୟୁନିକେଶନ ନେଟୱର୍କ ଜରିଆରେ ଉନ୍ନତମାନର ସେବା ଯୋଗାଇ ଦେବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି। ଆସନ୍ତା ୧୨ରୁ ୧୫ ମାସ ମଧ୍ୟରେ ୪ଜି ସେବା ପାଇଁ ୬୦ ହଜାର ମୋବାଇଲ ସାଇଟ ଆରମ୍ଭ କରାଯିବ ବୋଲି ବିଏସ୍‌ଏନ୍‌ଏଲ୍‌ ଅଧ୍ୟକ୍ଷ ପି.କେ.ପୁରଓ୍ବାର କହିଛନ୍ତି। ସେହିଭଳି ଆଗାମୀ ୨ ବର୍ଷ ମଧ୍ୟରେ ଏମ୍‌ଟିଏନ୍‌ଏଲ୍‌ ପରିଚାଳନାଗତ ଲାଭ ହାସଲ କରିବା ନେଇ ଆଶାବାଦୀ ରହିଥିବା ଏହାର ଏମ୍‌ଡି ସୁନୀଲ କୁମାର କହିଛନ୍ତି।

Share