ମିଳୁନି ଖାଦ୍ୟ, ଭୋକରେ ଛଟପଟ ଯାଯାବର

ବଲାଙ୍ଗୀର ଅଫିସ, ୩୦ା୩: ବଲାଙ୍ଗୀର ସହର ରେଳଷ୍ଟେଶନ ନିକଟରେ ଉତ୍ତରପ୍ରଦେଶର ପ୍ରାୟ ୪୦ ଜଣ ଯାଯାବର ଅଟକି ରହିଛନ୍ତି । ସେମାନେ ହାତ ମୁଦିର ରଙ୍ଗୀନ ପଥର, ରୁଦ୍ରାକ୍ଷ ବିକ୍ରି କରିବାକୁ ବଲାଙ୍ଗୀର ଆସିଥିଲେ । ଏମାନେ ସହର ଭିତର ବିଭିନ୍ନ ରାସ୍ତକଡରେ ଓ ବୁଲା ବେପାରୀଭାବେ ବ୍ୟବସାୟ କରୁଥିଲେ। ସେଥିରୁ ଯାହା ରୋଜଗାର କରୁଥିଲେ ରେଳଷ୍ଟେଶନ ନିକଟରେ ରହି ଆଶ୍ରୟ ନେଉଥିଲେ । ଲକ୍‌ ଡାଉନ୍‌ ପରେ ଏମାନଙ୍କ ବେପାର ବୁଡି ଯାଇଛି । ଏମାନଙ୍କ ପାଖରେ ଏବେ ଖାଇବାକୁ କିଛି ନାହିଁ । ବିଶେଷକରି ପ୍ରାୟ ୧୦ଜଣ ଛୋଟ ଶିଶୁଙ୍କ କ୍ଷୁଧା ନିବାରଣ ବଡ ସମସ୍ୟା ଭାବେ ଦେଖାଦେଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ଅଟକି ରହିଥିବା ଦୁଃସ୍ଥ ଶ୍ରମିକ ଓ ଯାଯାବରଙ୍କୁ ଖାଇବା ଯୋଗାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ଲକ୍‌ ଡାଉନ୍‌ର ୪ଦିନ ପରେ ଏହି ଯାଯାବରମାନେ ସ୍ବେଚ୍ଛାସେବୀ ଓ ପ୍ରଶାସନ ପକ୍ଷରୁ କିଛି ଖାଇବା ପାଇ ନ ଥିବା ଜଣାଇଛନ୍ତି । ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏମାନଙ୍କ ଖାଇବା ଦାୟିତ୍ୱ ବହନ କରିବା କଥା । ମାତ୍ର ଏ ଦିଗରେ ଅବହେଳା ପ୍ରଦର୍ଶନ କରାଯାଉଥିବା ଜଣାପଡିଛି । ଏହି ଯାଯାବରମାନେ କାନ୍ଦି କାନ୍ଦି ଖାଇବାକୁ ମାଗୁଛନ୍ତି, ସେମାନଙ୍କ ଘର ଉତ୍ତରପ୍ରଦେଶ ଲକ୍ଷ୍ନୌ ନିକଟ ବଡବାଙ୍କି ପଠାଇବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି । ଏନେଇ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିପିନ ଦୀପଙ୍କୁ ପଚାରିବାରୁ ସହରରେ ପ୍ରାୟ ୯୦ ଜଣ ଅନ୍ୟ ଅଞ୍ଚଳର ଶ୍ରମିକ ଅଟକି ରହିଥିବା ଜଣାଇଛନ୍ତି । ସେମାନଙ୍କ ପାଇଁ ଜଣ ପିଛା ୫ କେଜି ଚାଉଳ, ୧ କେଜି ଡାଲି, ୨ କେଜି ଆଳୁ, ଅଧ ଲିଟର ସୋରିଷ ତେଲର ଗ୍ରୋସରୀ ପ୍ୟାକ୍‌ କରାଯାଇ ଓ ବଣ୍ଟନ କରାଯାଉଥିବା ସୂଚନା ଦେଇଛନ୍ତି । ତେବେ ଶିଶୁମାନଙ୍କ ପାଇଁ କୌଣସି ଖାଦ୍ୟ ସାମଗ୍ରୀ ଯୋଗାଣ ହେଉ ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଇଛନ୍ତି