ମିନି ବସ୍‌ ଓଲଟିଲା: ୧ ମୃତ, ୧୫ରୁ ଉର୍ଦ୍ଧ୍ୱ ଆହତ

ଆସିକା,୭ା୧୧(ଡି.ଏନ୍‌.ଏ.)- ଗାଙ୍ଗପୁର ଥାନା ବୋରି ନିକଟରେ ବୁଧବାର ରାତି ପ୍ରାୟ ୧୧ଟାରେ ଏକ ମିନିବସ୍‌ ରାସ୍ତା କଡକୁ ଓଲଟି ପଡିଥିଲା। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକ ହେଲେ ଭଞ୍ଜନଗର ନିକଟସ୍ଥ ତନରଡା ଗ୍ରାମର ଗୋବର୍ଦ୍ଧନ ଜେନା (୨୮)। ଆହତଙ୍କ ମଧ୍ୟରେ ଦେବ ସ୍ବାଇଁ, ଦେବରାଜ ଜେନା, ପଞ୍ଚୁଆ ଜେନା, ତ୍ରିନାଥ ଡାକୁଆ, ଭଗବାନ ନାୟକ, ଜୁରିଆ ମଳିକ, ଟୁକୁନା ଦାସ, ସୁଶାନ୍ତ ଜେନା, ଶଙ୍କର ଜେନା, ସାଗର ବଢାଇ ପ୍ରମୁଖ ଅଛନ୍ତି। ଏକ ନିର୍ବନ୍ଧ ଭୋଜିରେ ଯୋଗଦେଇ ବୋରି ଗ୍ରାମରୁ ତନରଡା ଫେରୁଥିବାବେଳେ ମିନି ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ମୃତ ଗୋବର୍ଦ୍ଧନ ତଳେ ପଡିଯିବାପରେ ଚାଡି ଚାପି ଦେଇଥିଲା। ପୋଲିସ ପହଞ୍ଚତ୍ ଆହତଙ୍କୁ ଚିକିତ୍ସା ଲାଗି ଗୋବରା, ଭଞ୍ଜନଗର ଓ ଆସିକା ଡାକ୍ତରଖାନାକୁ ପଠାଇଥିଲେ। ମୃତଦେହ ଜବତ କରି ଗୁରୁବାର ଭଞ୍ଜନଗର ମେଡିକାଲରେ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଦୁର୍ଘଟଣାଗ୍ରସ୍ଥ ଗାଡି (ନଂ.ଓଆର୍‌ ୦୯ଜି-୬୩୩୯)କୁ ପୋଲିସ ଜବତ କରିଛି। ଘଟଣା ସମ୍ପର୍କରେ ଗାଙ୍ଗପୁର ଥାନାରେ ନଂ.୨୦୩/୧୯ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଧିରେଶ କୁମାର ଦାସ ସୂଚନା ଦେଇଛନ୍ତି।