ମିଛ କହିଲେ ହାଡ଼ ଦୁର୍ବଳ ହୁଏ

ଫରିଦାବାଦ୍‌: ଜଣେ ବ୍ୟକ୍ତି ଶାରୀରିକ ଭାବେ ସୁସ୍ଥ ରହିବା ଫଳରେ ଅନେକ ରୋଗଠାରୁ ଦୂରେଇ ରହିଥାଆନ୍ତି। ଫଳରେ ଶରୀରର ହାଡ଼ ମଜଭୁତ ହେବା ସହ ଫ୍ରାକ୍ଚର ହେବାର ସମ୍ଭାବନା ମଧ୍ୟ କମ୍‌ ଥାଏ। କିନ୍ତୁ ଏହାର ବିପରୀତରେ କାର୍ଯ୍ୟ କରିବା (ଯଥା-ଅଧିକାଂଶ ସମୟ ବସିରହିବା, ମିଛ କହିବା ଓ କୌଣସି କାର୍ଯ୍ୟ କରିବା ସମୟରେ ଆବଶ୍ୟକତାଠାରୁ ଅଧିକ ଶକ୍ତି ବ୍ୟବହାର କରିବା) ଦ୍ୱାରା ଏହାର ନକାରାତ୍ମକ ପ୍ରଭାବ ଶରୀର ଉପରେ ପଡ଼ିଥାଏ, ଯାହାର ପ୍ରଭାବ ଅସ୍ଥି ଉପରେ ମଧ୍ୟ ପଡ଼େ। ମଣିଷ ଶରୀରରେ ୩୦ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍‌ ଯୁବାବସ୍ଥାରେ ଅସ୍ଥି ନିର୍ମାଣ ଜାରି ରହିଥାଏ। ଏହାପରେ ଧୀରେଧୀରେ ଶରୀରର ଓଜନ କମିବା ସହ ହାଡ଼ ମଧ୍ୟ ଦୁର୍ବଳ ହେବା ଆରମ୍ଭ ହୁଏ। ୫୦ରୁ ଊର୍ଦ୍ଧ୍ୱ ବୟସ୍କଙ୍କ କ୍ଷେତ୍ରରେ ଅଷ୍ଟ୍ରିଓପେରୋସିସ୍‌ ହେବାର ଆଶଙ୍କା ଅଧିକ ରହିଥାଏ। ଏହି ରୋଗରେ ଅସ୍ଥିରେ ଛିଦ୍ର ହେବା ସହ ଏହାର ଘନତ୍ୱ ଓ ଗୁଣବତ୍ତା ବିଗିଡ଼ି ଯାଏ। ବୟସ ବଢ଼ିବା ସାଙ୍ଗକୁ ଅଷ୍ଟ୍ରିଓପେରୋସିସ୍‌ ହେବାର ଆଶଙ୍କା ବଢ଼େ ଓ ହାଡ଼ ଫ୍ରାକ୍ଚର ହେବାର ସମ୍ଭବନା ବୃଦ୍ଧି ପାଏ। ତେବେ ପୁରୁଷଙ୍କ ତୁଳନାରେ ମହିଳାମାନେ ୪ଗୁଣ ଅଧିକ ମାତ୍ରାରେ ଅଷ୍ଟ୍ରିଓପେରୋସିସ୍‌ର ଶିକାର ହୋଇଥାନ୍ତି ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଫରିଦାବାଦ୍‌ସ୍ଥିତ ଫରଟିସ୍‌ ଏସକଟ୍ସର ଆଡିସିନାଲ ଡିରେକ୍ଟର ଅଫ୍‌ ଅର୍ଥୋପେଡିକ୍ସ ଆଣ୍ଡ ଜଏଣ୍ଟ ରିପ୍ଲେସମେଣ୍ଟ ଡା. ହରିଶ ଘୁଟା କୁହନ୍ତି, ଜଣେ ବ୍ୟକ୍ତିଙ୍କ ଶରୀରରେ ବୋନ୍‌ ଫ୍ରାକ୍ଚର ହେବା ତାଙ୍କ ପରିବେଶ, ପୋଷଣ ଓ ଜିନ୍‌ ଉପରେ ନିର୍ଭର କରେ। ଏଥିସହ ଆଉ ଏକ ଷ୍ଟଡିରୁ ଜଣାପଡ଼ିଛି, ଯେବେ ଜଣେ ବ୍ୟକ୍ତି କୌଣସି ପରିସ୍ଥିତିର ମୁକାବିଲା କରିବାରେ ଅସମର୍ଥ ହୋଇଥାଏ, ସେତେବେଳେ ମାନସିକ ଚାପ ବଢ଼ିବା ସଙ୍ଗେ ସଙ୍ଗେ ମନରୁ ସକାରାତ୍ମକ ଚିନ୍ତାଧାରା ଦୂରେଇଯାଏ, ଏବଂ ଏହାର ପ୍ରଭାବରେ ଶରୀରର ଅସ୍ଥି ଦୁର୍ବଳ ହୋଇଥାଏ।

Share