ମିଖାଇଲ୍‌ ମିଶୁଷ୍ଟିନ୍‌ ରୁଷିଆ ପ୍ରଧାନମନ୍ତ୍ରୀ

ମସ୍କୋ,୧୭।୧:ରୁଷିଆର ନୂଆ ପ୍ରଧାନମନ୍ତ୍ରୀ ଭାବେ ମିଖାଇଲ୍‌ ମିଶୁଷ୍ଟିନ୍‌ଙ୍କ ନାମକୁ ଗୁରୁବାର ପାର୍ଲାମେଣ୍ଟ (ଡୁମା) ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ଏହି ୫୩ ବର୍ଷୀୟ ଟିକସ ସେବା ଅଧିକାରୀଙ୍କ ନାଁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସୁପାରିସ କରିଥିଲେ। ବୁଧବାର ପ୍ରଧାନମନ୍ତ୍ରୀ ଡିମିଟ୍ରି ମେଡ୍‌ଭେଡେଭ୍‌ଙ୍କ ନେତୃତ୍ୱରେ ରୁଷିଆ କ୍ୟାବିନେଟ ଇସ୍ତଫା ଦେଇଥିଲା। ରାଷ୍ଟ୍ରପତି ପୁଟିନ ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। କାର୍ଯ୍ୟକାଳ ଶେଷ ହେବା ପରେ ପୁନର୍ବାର କ୍ଷମତାରେ ରହିବା ଲାଗି ସେ ଯୋଜନା କରିଥିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ପାର୍ଲାମେଣ୍ଟର ନିମ୍ନ ସଦନରେ ୪୨୪ ଭୋଟରୁ ମିଖାଇଲଙ୍କ ସପକ୍ଷରେ ୩୮୩ ଭୋଟ ମିଳିଥିଲା। ୪୧ ସଦସ୍ୟ ଭୋଟଦାନରୁ ବିରତ ରହିଥିଲେ। ପରେ ରାଷ୍ଟ୍ରପତି ତାଙ୍କ ନିଯୁକ୍ତିପତ୍ରରେ ସ୍ବାକ୍ଷର କରିଥିଲେ। ଦେଶରେ ମୁଦ୍ରାସ୍ଫୀତିକୁ ୪ ପ୍ରତିଶତ ମଧ୍ୟରେ ରଖିବେ ବୋଲି ନୂଆ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଭଲ ପାଇଁ ରୁଷିଆବାସୀ ନିଶ୍ଚୟ ବାସ୍ତବ ପରିବର୍ତ୍ତନକୁ ଅନୁଭବ କରିବେ ବୋଲି ସେ କହିଛନ୍ତି। ଟିକସ ସେବା ବିଭାଗରେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସିଥିବା ମିଶୁଷ୍ଟିନ୍‌ଙ୍କର ରାଜନୈତିକ ଅଭିଳାଷ ନ ଥିଲା। ସେ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି କେବେ ଚିନ୍ତା କରି ନ ଥିଲେ। ପୁଟିନଙ୍କ ପ୍ରସ୍ତାବିତ ସାମ୍ବିଧାନିକ ପରିବର୍ତ୍ତନ ତାଙ୍କୁ ୨୦୨୪ ପରେ ମଧ୍ୟ କ୍ଷମତାରେ ରହିବାକୁ ସୁଯୋଗ ଦେଇପାରେ ବୋଲି କୁହାଯାଉଛି।

Share