ମା’ ସୁରେଶ୍ୱରୀଙ୍କ ଧବଳମୁଖୀ ବେଶ

ସୋନପୁର,୨୮।୯(ନି.ପ୍ର.) : ପବିତ୍ର ମହାଳୟା ତିଥିରେ ସୁବର୍ଣ୍ଣପୁର ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ୱରୀ ଧବଳମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ସୁବର୍ଣ୍ଣପୁରର ଐତିହାସିକ ବଳିଯାତ୍ରା ଆରମ୍ଭ ହେଉଥିବା ବେଳେ ଶନିବାର ଭକ୍ତମାନେ ବାଉତି ଛତ୍ର ଓ ଦେବୀ ମା’ଙ୍କ ବେଶ ଦେଖିବାର ସୌଭାଗ୍ୟ ଲାଭ କରିଛନ୍ତି। ଶନିବାରଠାରୁ ଦେବୀ ମା’ଙ୍କ ଷୋହଳ ଉପଚାର ପୂଜା ଆରଧନା କରାଯିବା ସହିତ ଦେବୀ ନଅଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶ ଧାରଣ କରିବେ। ଆସନ୍ତା ରବିବାରଠାରୁ ଦଶହରା ପର୍ଯ୍ୟନ୍ତ ଦେବୀ ମା’ ସୁରେଶ୍ୱରୀ ତାରା, ଛିନ୍ନମସ୍ତା, କାଳୀ, ଭୈରବୀ, ମହିଷାମର୍ଦ୍ଦିନୀ, ରାଜ ରାଜେଶ୍ୱରୀ ଆଦି ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଦେବୀଙ୍କ ଦର୍ଶନ ପାଇଁ ପ୍ରତି ସନ୍ଧ୍ୟାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।