ମା’-ବାପାଙ୍କୁ ଆକ୍ରମଣ କରି ପୁଅ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୧।୯: ବୃଦ୍ଧା ମା’-ବାପାଙ୍କୁ ଆକ୍ରମଣ କରିବା ସହ ତାଙ୍କ ପେନ୍‌ସନ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଗଞ୍ଜାମ ଜିଲା ସଦର ଥାନା ପୋଲିସ ପୁଅଙ୍କୁ କେସ୍‌ ନଂ. ୨୪୨/୧୯ ରେ ଶନିବାର କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ, ସଦର ଥାନା ନିମଖଣ୍ଡି ଚନ୍ଦ୍ରଶେଖର ନଗରରେ ରହୁଥିବା ଦେବରାଜ ମିଶ୍ର ଓ ସୁଷମା ମିଶ୍ରଙ୍କୁ ତାଙ୍କ ପୁଅ ଶାନ୍ତନୁ(୩୫) ସବୁବେଳେ ଟଙ୍କା ମାଗିବା ସହ ମାରପିଟ୍‌ କରନ୍ତି । ଏପରିକି ଦେବରାଜଙ୍କୁ ମିଳୁଥିବା ପେନ୍‌ସନ ଟଙ୍କା ମଧ୍ୟ ତାଙ୍କ ପୁଅ ହେରଫେର କରନ୍ତି। ଶାନ୍ତନୁ ଗୋଟିଏ ପୁଅ ହୋଇଥିବାରୁ ମା’ ବାପା ତାଙ୍କ ଠାରୁ ମାଡ଼ ଖାଇ ମଧ୍ୟ ଚୁପ୍‌ ରହୁଥିଲେ। ତେବେ ଶୁକ୍ରବାର ରାତିରେ ଶାନ୍ତନୁ ମଦ ପିଇ ଘରେ ତାଙ୍କ ବାପାଙ୍କୁ ମାରପିଟ୍‌ କରିଥିଲେ। ମା’ ସୁଷମା ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଶାନ୍ତନୁ ଗାଳି ଗୁଳଜ କରିବା ସହ ଜୀବନରେ ମାରିଦେବାକୁ ଧମକଚମକ ଦେଇଥିଲେ। ଏପରିକି ଘର ଆସବାବପତ୍ର ଭାଙ୍ଗିବା ସହ ମା’ ବାପାଙ୍କୁ ଘର ଭିତରେ ରଖି ବାହାର ପଟୁ କବାଟ ଦେଇଦେଇଥିଲେ। ଖବର ପାଇ ନିମଖଣ୍ଡି ଫାଣ୍ଡି ପୋଲିସ ସେଠାରେ ପହଞ୍ଚି ଘର କବାଟ ଖୋଲି ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ଅଭିଯୋଗ କ୍ରମେ ପୋଲିସ ଶାନ୍ତନୁଙ୍କୁ ଗିରଫ କରିଛି।