Categories: ଜାତୀୟ

ମା’ ଚାଲିଯିବା ପରେ ଗୀତାଙ୍କ ଆଖିରେ ଲୁହ

ନୂଆଦିଲ୍ଲୀ, ୭।୮: ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ବହିର୍ବ୍ୟାପାର ମନ୍ତ୍ରୀ ଥିବା ସୁଷମା ସ୍ବରାଜ ନିଜ କାର୍ଯ୍ୟକାଳ ଏମିତି କିଛି କାମ କରିଛନ୍ତି, ଯାହାକୁ ଲୋକେ ଚାହିଁଲେ ବି ଭୁଲିପାରିବେ ନାହିଁ। କିଛି ଲୋକଙ୍କ ପାଇଁ ସେ ମା’ ସାଜିଥିଲେ। ଭୁଲରେ ପାକିସ୍ତାନ ପଳାଇଥିବା ମୂକ ଓ ବଧିର ଝିଅ ଗୀତା ପାଇଁ ସୁଷମା ସାଜିଥିଲେ ମା’। ଗୀତା ଦୀର୍ଘ ୧୪ ବର୍ଷ ପାକିସ୍ତାନରେ ରହିବା ପରେ ୨୦୧୫ରେ ଭାରତକୁ ଫେରିବାରେ ଥିଲା ସୁଷମାଙ୍କ ବଡ ହାତ। ଏବେ ତାଙ୍କ ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି ଗୀତା। ସେ ଖାଲି କାନ୍ଦୁଛନ୍ତି। ସେ ଠାରରେ କହିଛନ୍ତି, ମୁଁ ମୋ ଅଭିଭାବକଙ୍କୁ ହରାଇଦେଲି। ସେ ସବୁବେଳେ ମୋତେ ଝିଅ ପରି ଦେଖୁଥିଲେ। ମା’ ପରି ସେ ମୋର ଯତ୍ନ ନେଉଥିଲେ ବୋଲି ଗୀତା କହିଛନ୍ତି।
ସୂଚନାଯୋଗ୍ୟ,ଗୀତା ପିଲାବେଳୁ ଭାରତରୁ କୌଣସି ଟ୍ରେନରେ ଯାଇ ଗୀତା ପାକିସ୍ତାନର ଲାହୋର ପହଞ୍ଚିଥିଲେ। ଅଜଣା ଝିଅ ଗୀତା ସାଙ୍ଗରେ କେହି ନ ଥିବାରୁ ପୁଲିସ ତାକୁ ପାଇ ରାଷ୍ଟ୍ରାୟତ ଆଶ୍ରୟସ୍ଥଳକୁ ପଠାଇଥିଲା। କିନ୍ତୁ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିବା ଏବଂ କର୍ମଚାରୀମାନଙ୍କ ସହ କଳହ କରିବାରୁ ତାଙ୍କୁ ଭିନ୍ନ ଭିନ୍ନ ଆଶ୍ରୟସ୍ଥଳରେ ନେଇ ରଖାଯାଉଥିଲା। ଶେଷରେ କରାଚିସ୍ଥିତ ଏଧି ସ୍ବେଚ୍ଛାସେବୀ ଫାଉଣ୍ଡେସନରେ ଗୀତା ବହୁଦିନ ହେବ ରହୁଥିଲା। ସଲମାନ ଖାନ୍ଙ୍କ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ର କାହାଣୀରେ ପ୍ରେରିତ ହୋଇ ଏଧି ସ୍ବେଚ୍ଛାସେବୀ ଫାଉଣ୍ଡେସନ ପକ୍ଷରୁ ଗୀତାକୁ ଭାରତ ପଠାଯିବା ଉଦ୍ୟମ କରାଯାଇଥିଲା। ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ସେତେବେଳର ଭାରତର ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ଫଳରେ ୨୦୧୫ରେ ଗୀତା ଭାରତ ଫେରିଥିଲେ। ଭାରତକୁ ଫେରିବା ପରଠାରୁ ତାଙ୍କ ପରିବାର ସହ ତାଙ୍କର ମିଳନ କରାଇବାର ଉଦ୍ୟମ କରାଯାଇଥିଲା। କିନ୍ତୁ ଅନେକ ପରିବାର ଆସି ଗୀତା ତାଙ୍କର ବୋଲି ଦାବି କରିଥିବା ସତ୍ତ୍ୱେ ସେ କାହାରିକୁ ଚିହ୍ନି ପାରି ନ ଥିଲେ। ୨୦୧୭ ଅକ୍ଟୋବର ମାସରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ଏକ ବୈଠକ ପରେ ସୁଷମା ସ୍ବରାଜ ଗୀତାର ବିବାହ ପାଇଁ ଯୋଜନା କରିଥିଲେ। ଗୀତା ବିବାହ କରିବାକୁ ଥିବା ବର ପାତ୍ରକୁ ସରକାରୀ ଚାକିରି ଏବଂ ଘର ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ସୁଷମା ମା’ଙ୍କ ଚୟନରେ ହିଁ ବିବାହ କରିବି ବୋଲି ଗୀତା କହିଥିଲେ।

Share