ମା’ କର୍ମଜୀବୀ ହୋଇଥିଲେ…

ପ୍ରକୃତି ମା’ ସ୍ତନରେ ଖଞ୍ଜିଦେଇଛି ଏକ ଅମୃତର ଉତ୍ସ। ଯାହାକି ଜନ୍ମ ହେବାପରେ ଶିଶୁ ବଞ୍ଚତ୍ବା ଲାଗି ସମସ୍ତ ଆବଶ୍ୟକ ଉପାଦାନ ସହ ଶିଶୁର ଶାରୀରିକ ତଥା ମାନସିକ ବିକାଶ ଲାଗି ସମସ୍ତ
ପୋଷକତତ୍ତ୍ୱ ଶିଶୁ ଦେହରେ ପହଞ୍ଚାଇଥାଏ।

ସାଧାରଣତଃ ଶିଶୁକୁ ଅତି କମ୍‌ରେ ୬ ମାସ ପର୍ଯ୍ୟନ୍ତ କେବଳ ମା’କ୍ଷୀର ଖାଇବାକୁ ପରାମର୍ଶ ଦିଆଯାଏ। ହେଲେ ମା’ କର୍ମଜୀବୀ ହୋଇଥିଲେ ତା’ଙ୍କୁ ପ୍ରସବର କିଛି ମାସ ମଧ୍ୟରେ କର୍ମକ୍ଷେତ୍ରରେ ଯୋଗଦେବାକୁ ପଡିଥାଏ। ଯେଉଁଥିପାଇଁ ଶିଶୁକୁ ନିୟମିତ ସ୍ତନ୍ୟପାନ କରାଇବାରେ ଅବହେଳା ହୋଇଥାଏ। ଏଭଳି କ୍ଷେତ୍ରରେ ମା’ ଡବାକ୍ଷୀର ଉପରେ ନିର୍ଭର କରିଥାନ୍ତି। କିନ୍ତୁ ମା’ କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଶିଶୁର ମସ୍ତିଷ୍କ ବୃଦ୍ଧି ଓ ବିକାଶରେ ସାହାଯ୍ୟ କରିଥାଏ। ତେଣୁ କର୍ମଜୀବୀ ମହିଳା ଚାହିଁଲେ ଡବା କ୍ଷୀର ପରିବର୍ତ୍ତେ ନିଜ କ୍ଷୀର କାଢି(ଏକ୍ସପ୍ରେସ୍‌ଡ ମଦର୍ସ ମିଲ୍କ ବା ଇଏମ୍‌ଏମ୍‌) ଶିଶୁ ପାଇଁ ସାଇତି କରି ଫ୍ରିଜ୍‌ରେ ରଖି ଶିଶୁକୁ ମଝିରେ ମଝିରେ ଖୁଆଇ ପାରିବେ। ସକାଳେ ଶିଶୁକୁ ଖୁଆଇ ସାରିବା ପରେ ହାତରେ ବା ହସ୍ତଚାଳିତ ବ୍ରେଷ୍ଟ୍‌ ପମ୍ପ୍‌, ଇଲେକ୍ଟ୍ରି ବା ବ୍ୟାଟେରି ଚାଳିତ ବ୍ରେଷ୍ଟ୍‌ ପମ୍ପ୍‌ ସାହାଯ୍ୟରେ କ୍ଷୀର କାଢି ରଖିପାରିବେ। ଏହାକୁ ଫ୍ରିଜ୍‌ରେ ୭-୮ ଦିନ ପର୍ଯ୍ୟନ୍ତ ରଖି ମଧ୍ୟ ଶିଶୁକୁ ଖୁଆଇ ପାରିବେ। ଏପରି କି ଡିପ୍‌ ଫ୍ରିଜରରେ ଏକମାସ ପର୍ଯ୍ୟନ୍ତ ଷ୍ଟୋର କରିପାରିବେ। ତେବେ ଏଥିପାଇଁ ସଂକ୍ରମଣର ଆଶଙ୍କା ଥିବାରୁ ପ୍ରତିଦିନ ନିଜର ତଟକା କ୍ଷୀର କାଢି ଶିଶୁକୁ ଖୁଆଇବା ଭଲ। ଦିନକୁ ୭ରୁ ୮ ଥର କ୍ଷୀର କାଢିବା ଦ୍ୱାରା ସ୍ତନରେ କ୍ଷୀର କମିବା କିମ୍ବା ସ୍ତନ ଦରଜ ହେବା ଭଳି ସମସ୍ୟା ଦେଖାଦେଇ ନ ଥାଏ। ପ୍ରତିଥର କ୍ଷୀର କାଢିଲା ବେଳେ ତା’ ପାଇଁ ସଫା କିମ୍ବା ଅଲଗା ପାତ୍ର ବ୍ୟବହାର କରିବା ନିରାପଦ। କ୍ଷୀର କଢ଼ା ହେବାର ୧ ଘଣ୍ଟା ମଧ୍ୟରେ ଫ୍ରିଜ୍‌ରେ ରଖି ଶିଶୁକୁ ଖୁଆଇ ପାରିବେ। ଯଦି ଶିଶୁ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଖାଇବ, ତେବେ ସଙ୍ଗେସଙ୍ଗେ ମା’ କ୍ଷୀର ଫ୍ରିଜ୍‌ରେ ରଖିବେ କିମ୍ବା ଥଣ୍ଡା ପାଣି ପାତ୍ରରେ ରଖି ଘୋଡାଇ ଦେବେ। ଫ୍ରିଜ୍‌ରୁ କାଢିବା ପରେ କ୍ଷୀର ରୁମ୍‌ ଟେମ୍ପରେଚରକୁ ଆସିବା ପରେ ଶିଶୁକୁ ଖୁଆନ୍ତୁ ଏବଂ ସଂକ୍ରମଣ ନ ହେବା ଲାଗି ବଳକା କ୍ଷୀରକୁ ଫିଙ୍ଗି ଦିଅନ୍ତୁ।