ମାୟା ଲଗାଇବ ମାୟା ନଗରୀ

ଆଉ ଏକ ନବଗଠିତ ଅପେରା ପାର୍ଟି ଲଢ଼େଇ ମଇଦାନକୁ ଓହ୍ଲାଉଛି। ଚଳିତ ମାସ ୧୬ରେ ଏହି ପାର୍ଟି ନିଜର ଯାତ୍ରା ଅଭିଯାନ ଆରମ୍ଭ କରିବାକୁ ଯାଉଛି। ‘ଯାତ୍ରା ମାୟାନଗରୀ’ ନାମରେ ନାମିତ ଉକ୍ତ ପାର୍ଟିର ସଫଳତାକୁ ନେଇ ବେଶ୍‌ ଆଶା ରଖିଛନ୍ତି ଏହାର ମୁଖ୍ୟ ପରିଚାଳକ ତଥା ନାଟ୍ୟକାର ମନୋଜ ପଣ୍ଡା। ସତ୍ୟାନନ୍ଦ ଦଳବେହେରାଙ୍କ ପ୍ରଯୋଜିତ ଏବଂ ହେମନ୍ତ ଜେନା ନିବେଦିତ ଏହି ପାର୍ଟିର ରିହର୍ସାଲ ଚାଲୁ ରହିଛି। ପ୍ରସ୍ତୁତିପଥେ ନାଟକଗୁଡିକ ମଧ୍ୟରେ ରହିଛି : ଧନ ପାଖେ ମନ ବନ୍ଧା ପଡିଛି (ରଚନା-ମନୋଜ ପଣ୍ଡା, ନିର୍ଦ୍ଦେଶନା -ଏସ. କ୍ରିଷ୍ଣା), କଥା ଦିଅ ମୋତେ କରିବନି ପର (ରଚନା-ଅଧ୍ୟାପକ ଗୋଲେଖ ମହାରଣା,
ନିର୍ଦ୍ଦେଶନା-ଅଶ୍ରୁମୋଚନ ମହାନ୍ତି), ଦେଲେ ଧରା କଥା ସରେ (ରଚନା-ଦାମ ପ୍ରଧାନ, ଯୋଗେନ୍ଦ୍ର ମଲ୍ଲିକ) ଏବଂ ନିଜ ନିଜର ରାମାୟଣ (ରଚନା-କୈଳାସ ମଲ୍ଲିକ, ନିର୍ଦ୍ଦେଶନା-ଲାଲା ବୀରେନ ରାୟ)। ଏହି ପାର୍ଟିର ମୁଖ୍ୟ ଆକର୍ଷଣ ସାଜିବେ ଜଲିଉଡ୍‌ର ଟ୍ରାଜେଡି କୁଇନ୍‌ ଭାବରେ ପରିଚିତା ଟୁନିଆ ମଲ୍ଲିକ। ନାୟକ ଚିକୁ କର ନିଜର ଅଭିନୟ ବଳରେ ଦର୍ଶକଙ୍କୁ ଶତ ପ୍ରତିଶତ ଏଣ୍ଟରଟେନମେଣ୍ଟ ଦେବାକୁ ତୟାର। ଏହି ଦୁଇ କଳାକାରଙ୍କ ବ୍ୟତୀତ ବୈକୁଣ୍ଠ-ବାସନ୍ତୀ (ବାରେକ), ରବି ଶତପଥୀ, ପହିଲି, ସନ୍ତୋଷ-କୁସୁମ, ଧୀର ମିଶ୍ର, ପ୍ରିୟ, ଅଭିରାଜ, ସୁବ୍ରତ, କେକେ-ସୋନାଲି, ବେବିନା, ଶୀତୁରା, ପୁଷ୍ପା, ଚିତ୍ରାଙ୍କ ବଳିଷ୍ଠ ଅଭିନୟ
ପାର୍ଟିକୁ ମାଇଲେଜ ଦେବ ବୋଲି ପ୍ରଯୋଜକ ଆଶା ରଖିଛନ୍ତି। କେବଳ ସେତିକି ନୁହେଁ, ବିଶ୍ୱଜିତ, ସଞ୍ଜୀବ ଜେନା, ଅଭିରାମଙ୍କ ଖଳନାୟକୀ ନାଟକଗୁଡିକୁ ସଫଳ ହେବାରେ ସାହାଯ୍ୟ କରିବ ବୋଲି କହନ୍ତି ମୁଖ୍ୟ ପରିଚାଳକ ମନୋଜ। ତେବେ ଚଳିତ ଯାତ୍ରା ସିଜନ୍‌ରେ ଯାତ୍ରା ମାୟାନଗରୀ
ଦର୍ଶକଙ୍କୁ କେତେ ମାୟାରେ ବାନ୍ଧି ରଖୁଛି ତାହା ଦେଖିବାକୁ ବାକି ରହିଲା।

Share