ମାସ୍କ ବ୍ୟବହାର ନ କରି ୨୪୦୦ ଜରିମାନା ଆଦାୟ , ୧୨ ଗିରଫ

ଧାମନଗର,୧୨ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକରେ ଲକ୍‌ଡାଉନ୍‌ ଅବମାନନା ନେଇ ବ୍ଲକ ପ୍ରଶାସନ କଡ଼ା ପଦକ୍ଷେପ ନେଉଛି। ରବିବାର ପୂର୍ବାହ୍ନରେ ଧାମନଗର ଆଡିଶନାଲ ତହସିଲଦାର ଲଗନଜିତ୍‌ ବେହେରା ଧୂଷୁରୀ ଥାନା ପୋଲିସ ସହାୟତାରେ ଅସୁରାଳୀ ବଜାର,ମଙ୍ଗଳପୁର, ସହିଦନଗର ଅଞ୍ଚଳରେ ଚଢ଼ାଉ କରିଥିଲେ। ମାସ୍କ ବ୍ୟବହାର କରି ନ ଥିବା ୧୨ଜଣଙ୍କୁ ଧରି ୨୪୦୦ ଶହ ଟଙ୍କା ଜରିମାନା ଆଦାୟ କରିବା ସହିତ ଜଣେ ଦୋକାନୀଙ୍କୁ ଦୋକାନ ଖୋଲିଥିବା ଅଭିଯୋଗରେ ୧ ହଜାର ଜରିମାନା ଆଦାୟ କରିଛନ୍ତି। ଶନିବାର ଭଣ୍ଡାରୀପଡ଼ା ଗ୍ରାମରୁ କାର୍ତ୍ତିକ ସାହୁଙ୍କୁ ପୋଲିସ ଗିରଫ କରିଛନ୍ତି । ସେ ଜଣେ ମହିଳା ସରକାରୀ ଅଧିକାରୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ସୋସିଆଲ ମିଡିଆରେ ଲେଖିଥିବା ଅଭିଯୋଗରେ ଗିରଫ ହୋଇଥିବା ଲଗନଜିତ୍‌ ବେହେରା ସୂଚନା ଦେଇଛନ୍ତି। ସେହିପରି ଧାମନଗର ଥାନା ଅଧୀନରେ କରୋନା ମୁକାବିଲା ଦାୟିତ୍ୱ ନେଇଥିବା ଆଡିଶନାଲ ତହସିଲଦାର ଅଭିଲିପ୍ସା ପଟ୍ଟନାୟକ ଶନିବାର ଧାମନଗର ସାନ ବଜାରରେ ଜଳଖିଆ ଦୋକାନ ଖୋଲିଥିବା ଆନନ୍ଦ ସାହୁଙ୍କୁ ଗିରଫ କରିଥିଲେ। ରବିବାର ଜାହାଙ୍ଗୀର ବଜାରରେ ଜଣେ ଦୋକାନୀଙ୍କୁ ବେଆଇନ ଭାବେ ଦୋକାନ ଖୋଲିଥିବା ଅଭିଯୋଗରେ ଗିରଫ କରିଥିବା ସୂଚନା ଦେଇଛନ୍ତି ।