ମାସ୍କ ନ ପିନ୍ଧି କାମ କରୁଛନ୍ତି ଶ୍ରମିକ

ବିନିକା,୮ା୫(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ୍‌ ଅଞ୍ଚଳରେ ୩ ଦିନ ଧରି ବିଭିନ୍ନ ବିଭାଗର ଉନ୍ନୟନ କାମ ପ୍ରାରମ୍ଭ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗର ଅଧାପନ୍ତରିଆ ହୋଇ ପଡିରହିଥିବା ନିର୍ମାଣ କାମ ଚାଲୁ ରହିଛି। କିନ୍ତୁ ଏସବୁ କାମରେ ନିୟୋଜିତ ଥିବା ଶ୍ରମିକ ଏବଂ ମିସ୍ତ୍ରୀମାନେ କରୋନା କଟକଣା ନିୟମକୁ ମାନୁ ନ ଥିବା ଦେଖିବାକୁ ମିଳୁଛି।
ଉଦାହରଣ ସ୍ବରୁପ ଏସ୍‌-ରାମପୁର-ଅରିଗାଁ ରାସ୍ତାର ନିର୍ମାଣ କାମ ବାଙ୍କିଘିର୍ଡି ତଲି ଆନ୍ଧ୍ରାଡେରାଠାରୁ ଆରମ୍ଭ ହୋଇଛି। ଏହି ରାସ୍ତା ନିର୍ମାଣ କାମରେ ୨ଜଣ ମିସ୍ତ୍ରୀ ଓ ୧୪ଜଣ ଶ୍ରମିକ ନିୟୋଜିତ ହୋଇଛନ୍ତି। ହେଲେ କୌଣସି ଶ୍ରମିକ ସାମାଜିକ ଦୂରତା ରଖୁ ନାହାନ୍ତି। କୌଣସି ଶ୍ରମକ ମାସ୍କ ପିନ୍ଧି ନାହାନ୍ତି। ଉକ୍ତ କାମକୁ ତଦାରଖ କରିବା ପାଇଁ କୌଣସି ବିଭାଗୀୟ ଅଧିକାରୀମାନେ ମଧ୍ୟ ରହୁ ନାହାନ୍ତି। ଏ ସଂକ୍ରାନ୍ତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଜେଇ ନୀଳମଣୀ ଦେହୁରୀଙ୍କୁ ଫୋନ୍‌ରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ସେ ଫୋନ୍‌ ଉଠାଇ ନ ଥିଲେ। ସଂପୃକ୍ତ ଠିକାଦାରଙ୍କୁ ମଧ୍ୟ ଫୋନ୍‌ କରାଯାଇଥିଲେ ମଧ୍ୟ ସେ ରିସିଭ କରି ନ ଥିଲେ। କରୋନା ମହାମାରୀ ସମୟରେ ଶ୍ରମିକମାନେ ଏଭଳି ଅସୁରକ୍ଷିତ ଭାବେ କାମ କରିବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।