ମାସ୍କ, ଔଷଧ ଯୋଗାଇବାକୁ ଭାରତକୁ ନେତାନ୍ୟାହୁଙ୍କ ଅନୁରୋଧ

ଜେରୁଜେଲମ୍‌, ୧୫।୩(ପି.ଟି.): ବିଶ୍ୱବ୍ୟାପୀ କରୋନା ଯନ୍ତ୍ରଣା ବଢ଼ିଚାଲିଥିବା ବେଳେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେନ୍‌ୟାମିନ୍‌ ନେତାନ୍ୟାହୁ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରି ମାସ୍କ ଏବଂ ଔଷଧ ଯୋଗାଣ ଲାଗି ଅନୁମତି ଦେବାକୁ କହିଛନ୍ତି। ଇସ୍ରାଏଲ୍‌କୁ କଞ୍ଚାମାଲ୍‌ ରପ୍ତାନି ଲାଗି ସହଯୋଗ କରିବାକୁ ଟେଲିଫୋନ୍‌ ଯୋଗେ ସେ ମୋଦିଙ୍କୁ ଅନୁରୋଧ କରିଛନ୍ତି। ଭାରତ ଘରୋଇ ଚାହିଦା ପୂରଣ କରିବା ଲାଗି ଏଗୁଡ଼ିକର ରପ୍ତାନି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଚଳିତ ସପ୍ତାହରେ ନେତାନ୍ୟାହୁଙ୍କ ଏଭଳି ଅନୁରୋଧକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଇସ୍ରାଏଲର ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଏହାକୁ ପ୍ରମୁଖତା ପ୍ରଦାନ କରାଯାଇଛି। ପ୍ରକାଶଥାଉ କି, ବୁଧବାର ଏକ ଖବରଦାତା ସମ୍ମିଳନୀରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତୀୟ ପ୍ରତିପକ୍ଷ ବନ୍ଧୁ ମୋଦି ଓ ଅନ୍ୟ ପ୍ରମୁଖ ନେତାଙ୍କୁ ଭେଟି କରୋନା ଲାଗି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଓ ସହଯୋଗ ଲୋଡ଼ିବେ ବୋଲି କହିଥିଲେ। ମୋଦି ସମସ୍ତ ସହଯୋଗ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ରାଜି ହୋଇଥିବା ଇସ୍ରାଏଲ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉପ ମହାନିର୍ଦ୍ଦେଶକ ଇତାମର ଗ୍ରୋଟୋ ପ୍ରକାଶ କରିଛନ୍ତି।

Share