ମାଷ୍ଟରକ୍ୟାଣ୍ଟିନ ଛକରେ ଆତଙ୍କ: ଅଟୋରୁ ମିଳିଲା ୪ ବୋମା ଓ ବନ୍ଧୁକ, ଜଣେ ଗିରଫ

ଭୁବନେଶ୍ୱର, ୨୧।୭ (ବ୍ୟୁରୋ): ଚାଲିଛି ବିଧାନସଭା ଅଧିବେଶନ। ମାଷ୍ଟରକ୍ୟାଣ୍ଟିନ ଛକରୁ ପିଏମ୍‌ଜି ଛକ ଯାଏ ପୋଲିସ ଛାଉଣୀ। ଏପରିକି ପିଏମ୍‌ଜିରେ ପ୍ରତିଦିନ ଏକାଧିକ ସଂଗଠନ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି। ସେମାନଙ୍କୁ ମଧ୍ୟ ପୋଲିସ ଜଗିଛନ୍ତି। ଏତେ ସୁରକ୍ଷା ମଧ୍ୟରେ ମାଷ୍ଟରକ୍ୟାଣ୍ଟିନ ଛକରେ ଶନିବାର ଅପରାହ୍ନରେ ଆତଙ୍କ ଖେଳିଯାଇଥିଲା। କାରଣ କଂଗ୍ରେସ ଭବନ ନିକଟରୁ ଏକ ନମ୍ବର ବିହୀନ ଅଟୋରୁ ୪ଟି ବୋମା, ଗୋଟିଏ ବନ୍ଧୁକ ଜବତ କରାଯାଇଛି। ଏଥିସହ କ୍ରିଷ୍ଣା ରାଓ ନାମକ ଜଣେ ଯୁବକକୁ କ୍ୟାପିଟାଲ ଥାନା ପୋଲିସ ଅଟକ ରଖିଛି। ଯୁବକ ଜଣକ ଅଟୋରେ ବୋମାକୁ କୁଆଡ଼େ ନେଉଥିଲେ। ପିଏମ୍‌ଜି ଛକରେ କିଛି ଅଘଟଣା ଘଟାଇଥାନ୍ତେ କି। ଏନେଇ ବିଭିନ୍ନ ପ୍ରଶ୍ନ ଉଠୁଛି। ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପୋଲିସ ଉକ୍ତ ଯୁବକକୁ ପଚରାଉଚରା କରୁଛି। ଏହାସହ ଜବତ ଅଟୋଟି କାହାର ତାହାର ମଧ୍ୟ ପୋଲିସ ଖୋଳତାଡ କରୁଛି।

ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୩ଟା ସମୟରେ ମାଷ୍ଟରକ୍ୟାଣ୍ଟିନ ଛକର ଗ୍ରୀନ୍‌ ଚିଲି ନିକଟରେ ଏକ ନମ୍ବର ବିହୀନ ଅଟୋରେ ବୋମା ଓ ବନ୍ଧୁକ ଥିବା ନେଇ କେହି ଜଣେ ପୋଲିସକୁ ଫୋନରେ କହିଥିଲା। ତୁରନ୍ତ ଏକ ପୋଲିସ ଟିମ୍‌ ସେଠାରେ ପହଞ୍ଚି ଅଟୋକୁ ଖୋଜିବାରେ ଲାଗିଥିଲେ। ଶେଷରେ ଅଟୋକୁ ପାଇବା ପରେ ସେଥିରୁ ବୋମା ଓ ବନ୍ଧୁକ ଜବତ କରାଯାଇଥିଲା। ଏହାସହ ଅଟୋ ନିକଟରେ ଥିବା କ୍ରିଷ୍ଣାଙ୍କୁୁ ପୋଲିସ କାବୁ କରି ନେଇଥିଲା। ସେ ଏସବୁ ବୋମା ଆଣିଥିବା ସ୍ବୀକାର କରିଥିବା କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି। କ୍ରିଷ୍ଣାଙ୍କ ନାମରେ ଏକାଧିକ ମାମଲା ରହିଥିବା ପୋଲିସ ଅନୁମାନ କରି ଖୋଳତାଡ କରୁଛି। ଅନ୍ୟପଟେ ଫୋନ୍‌ ଖବର ଦେଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ ତଦନ୍ତ ଚଳାଇଛି। ତଦନ୍ତରେ ବାଧା ସୃଷ୍ଟିହେବା ଆଶଙ୍କା ଥିବାରୁ କ୍ରିଷ୍ଣା ଓ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ ଥାନା ଅଧିକାରୀ ଚକ୍ରବର୍ତ୍ତୀ ମନା କରିଥିଲେ। ରିପୋର୍ଟ ପ୍ରସ୍ତୁତି ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିଲା।