ମାଲକାନଗିରି ସହରର ବିଭିନ୍ନ ଅଞ୍ଚଳ ବିଶୋଧନ

ମାଲକାନଗିରି,୧୧।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦରମହକୁମାର ବିଭିନ୍ନ ସ୍ଥାନକୁ ଶନିବାର ବିଶୋଧନ କରାଯାଇଛି। ସାରା ରାଜ୍ୟରେ କରୋନା ଭୂତାଣୁର ପ୍ରତିରୋଧ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ମାଲକାନଗିରି ଜିଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାପାଳ ମନୀଷ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଅଗ୍ନିଶମ ସେବା ବିଭାଗର କର୍ମଚାରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ, ମାଲକାନଗିରି ଆଦର୍ଶ ଥାନା, ଉପକାରାଗାରକୁ ସାନିଟାଇଜ୍‌ କରିଛନ୍ତି। ଆଜି ୩ଟି ସ୍ଥାନରେ ବିଶୋଧନ କରାଯାଇଥିବା ବେଳେ ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ କରାଯିବ। ଆଗାମୀ ଦିନରେ ଜିଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଯେଉଁ ସ୍ଥାନକୁ ଚିହ୍ନଟ କରାଯିବ ସେଗୁଡ଼ିକୁ ସାନିଟାଇଜ କରାଯିବ ବୋଲି ଅଗ୍ନିଶମ ସେବା ଅଧିକାରୀ ସରୋଜ କୁମାର ବେହେରା ପ୍ରକାଶ କରିଛନ୍ତି।