ମାଲକାନଗିରି ବିମାନ ବନ୍ଦର କାର୍ଯ୍ୟ ଆରମ୍ଭ

ମାଲକାନଗିରି,୩୧।୧୦(ଡି.ଏନ.ଏ)- ମାଲକାନଗିରି ଜିଲାରେ ପ୍ରସ୍ତାବିତ ବିମାନ ବନ୍ଦର କାର୍ଯ୍ୟ ଅନେକ ବର୍ଷ ପରେ ଆରମ୍ଭ ହୋଇଛି। ଏନେଇ ଜିଲାବାସୀଙ୍କ ମନରେ ଆଗାମୀ ଦିନରେ ବିମାନ ସେବା ପାଇଁ ଆଶା ସଞ୍ଚାର ହୋଇଛି ା ଏଥିପାଇଁ ୨୮ କୋଟିରୁ ଊର୍ଦ୍ଧ୍ୱ ବ୍ୟୟ ଅଟକଳ ହୋଇଛି। ବର୍ତ୍ତମାନ ୩୭ ଲକ୍ଷ ୪୪ ହଜାର ୩୦୭ ଟଙ୍କା ବ୍ୟୟରେ ବିମାନ ବନ୍ଦର ଚତୁଃପାର୍ଶ୍ୱରେ ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ା ତେବେ ଏହି ବିମାନ ବନ୍ଦର ପାଇଁ ୪ କିଲୋମିଟର ଲମ୍ବ ଓ ୪୦୦ ମିଟର ଓସାରରେ ରାଜସ୍ବ ବିଭାଗର ୯୫.୧୭୧ ହେକ୍ଟର ଜାଗା, ବନ ବିଭାଗର ୧୩.୨୩୩ ହେକ୍ଟର ଜାଗା ରହିଛି ା ତେବେ ରାଜସ୍ବ ବିଭାଗର ଜାଗାରେ ଥିବା ବାଟପାଲି, ନିଳିମାରୀ, ଗୋରେଇଗୁଡ଼ା ଗ୍ରାମବାସୀଙ୍କ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ କେତେକ ପରିବାରକୁ ପ୍ରଦାନ କରାଯାଇଛି। ଆଉ କେତେକ ପରିବାର ଏହା ନେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ବାଟପାଲି ଗ୍ରାମର ୩୧ ଜଣଙ୍କ ମଧ୍ୟରୁ ୪ଟି ପରିବାର ଓ ନିଳିମାରୀ ଗ୍ରାମର ୩୮ ଜଣଙ୍କ ମଧ୍ୟରୁ ୩ଟି ପରିବାର କ୍ଷତିପୂରଣ ନ ନେଇ ଜମି ବଦଳରେ ଜମି ଦାବି କରୁଛନ୍ତି। ଇତି ମଧ୍ୟରେ ବନ ବିଭାଗ ଅଧୀନରେ ଥିବା ୧୩.୨୩୩ ହେକ୍ଟର ଜଙ୍ଗଲ ଜମି ବିମାନ ବନ୍ଦର ପାଇଁ ହସ୍ତାନ୍ତର କରିବା ପାଇଁ ରାଜସ୍ବ ବିଭାଗ ବନ ବିଭାଗକୁ ଅନୁରୋଧ କରିଛି। ନିୟମ ଅନୁଯାୟୀ ରାଜସ୍ବ ବିଭାଗ ସମ ପରିମାଣର ଜମି ବନ ବିଭାଗକୁ ହସ୍ତାନ୍ତର କରିବ ା ଏହି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ବନ୍ଦର ଚତୁଃପାର୍ଶ୍ୱରେ ଥିବା ପରିବେଶ ପଦ୍ୟୁଷଣମୁକ୍ତ ନେଇ ପ୍ରମାଣପତ୍ର ଲାଗି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ଆବେଦନ କରାଯାଇଛି। ରାସ୍ତା ଓ ଗୃହ ବିଭାଜନ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଶାନ୍ତନୁ ବେହେରା କହିଛନ୍ତି ଯେ, ବର୍ତ୍ତମାନ ପାଚେରି ନିର୍ମାଣ କାର୍ଯ୍ୟ ଚାଲିଛି। ବିମାନ ବନ୍ଦର ଭିତରେ ରନ ୱେ ନିର୍ମାଣ ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୨୮ କୋଟି ମଞ୍ଜୁର ହୋଇଛି। ଟେଣ୍ଡର ହେବା ପରେ କାର୍ଯ୍ୟ ଆରମ୍ଭ ହେବ ା ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲାରେ ରେଳ ଲାଇନ ପାଇଁ ବଜେଟରେ ପ୍ରତିବର୍ଷ ଅର୍ଥ ବରାଦ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସର୍ଭେ କିମ୍ବା ଜମି ଅଧିଗ୍ରହଣ ଆରମ୍ଭ ହୋଇନାହିଁ ା ଫଳରେ ରେଳ ମାନଚିତ୍ରରେ ଜିଲା କେବେ ସ୍ଥାନ ପାଇବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।