ମାଲକାନଗିରିରେ ପୋଲିସ ମହାନିର୍ଦ୍ଦେଶକ: ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ମାଲକାନଗିରି,୧।୨(ଡି.ଏନ୍‌.ଏ.): ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର ମାଲକାନଗିରି ଗସ୍ତରେ ଆସି ମାଓବାଦୀ ସମସ୍ୟା ଓ ଦମନ ନେଇ ବୈଠକରେ ଆଲୋଚନା କରିଛନ୍ତି। ପ୍ରଥମେ ସେ ସ୍ବାଭିମାନ ଅଞ୍ଚଳର ଜନ୍ତାପାଇ, ବଡ଼ପଡ଼ା ଓ ଜାନବାଇ ବିଏସ୍‌ଏଫ୍‌ କ୍ୟାମ୍ପକୁ ହେଲିକପ୍ଟର ଯୋଗେ ପରିଦର୍ଶନ କରିଥିଲେ। ପରେ ବିଏସ୍‌ଏଫ୍‌ର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ମାଓବାଦୀଙ୍କ ଉପସ୍ଥିତି ଓ ସମସ୍ୟା ଉପରେ ସମୀକ୍ଷା କରିଛନ୍ତି। ଏଥିସହ ସଂପୃକ୍ତ ଅଞ୍ଚଳରେ ମାଓବାଦୀ ଦମନ, କୁମ୍ବିଂ ଅପରେଶନ ଜୋରଦାର କରିବା ସହ ସ୍ବାଭିମାନ ଅଞ୍ଚଳର ବିକାଶ କାର୍ଯ୍ୟ ତ୍ୱରାନ୍ବିତ  ଉପରେ ଆଲୋଚନା କରିଛନ୍ତି। ଉକ୍ତ ବୈଠକରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ସଦର) ବିନୟତୋଷ ମିଶ୍ର, ଗୋଇନ୍ଦା ବିଭାଗର ନିର୍ଦ୍ଦେଶକ ସତ୍ୟଜିତ୍‌ ମହାନ୍ତି , ଗୋଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ରାଧା କିଷ୍ଣନ ଶର୍ମା, ଆଇଜି ଆଧୁନିକୀକରଣ ରେଖା ଲୋହାନୀ, ଆଇ.ଜି ଅପରେଶନ ଅମିତାଭ ଠାକୁର, ଡିଆଇଜି ଏସ୍‌ଆଇଡବ୍ଲ୍ୟୁ ଅନିରୁଦ୍ଧ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ କେ, ମାଲକାନଗିରି ଏସ୍‌ପି ଋଷିକେଶ ଡି. ଖିଲାରୀଙ୍କ ସମେତ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।